ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଖୋଲିଲା ଭାରତର ପ୍ରଥମ ଥ୍ରୀ ଡି' ପ୍ରିଣ୍ଟେଡ ପୋଷ୍ଟ ଅଫିସ । ସହରର କେମ୍ବ୍ରିଜ ଲେଆଉଟଠାରେ ଏହା ନିର୍ମିତ ହୋଇଛି । ସବୁଠୁ ଖାସ କଥା ହେଉଛି ସ୍ବଦେଶୀ ଜ୍ଞାନ କୌଶଳର ବ୍ୟବହାର କରାଯାଇ ଏହାକୁ ମାତ୍ର ୪୫ ଦିନରେ ନିର୍ମାଣ କରାଯାଇଛି । ଏହି ପୋଷ୍ଟ୍ ଅଫିସର ଆକାର ବେଶ ଆକର୍ଷଣୀୟ ହୋଇଥିବା ବେଳେ ରୋବୋଟିକ ନିର୍ମାଣ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହାକୁ ଖୁବ୍ କମ ଦିନରେ ନିର୍ମାଣ କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ଏହି ଥ୍ରୀ ଡି' ପୋଷ୍ଟ ଅଫିସ ୧୦୨୧ ବର୍ଗ ଫୁଟ ଜମିରେ ଠିଆ ହୋଇଛି । ଭାରତୀୟ ଡାକ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ IIT ମାଡ୍ରାସ୍ର ଟେକ୍ନିକାଲ ମାର୍ଗଦର୍ଶନ ଦ୍ବାରା ଏହି ନୂଆ ଧରଣର ପୋଷ୍ଟ ଅଫିସ ନିର୍ମିତ ହୋଇଛି । ଏନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଏହା ହେଉଛି ଆତ୍ମନିର୍ଭର ଭାରତର ଏକ ଝଲକ । ସ୍ବଦେଶୀ ଜ୍ଞାନକୌଶଳର ବିକାଶର ଝଲକ । ପୂର୍ବରୁ ଯାହାକି ଅସମ୍ଭବ ଲାଗୁଥିଲା ଆଜି ତାହା ଭାରତବର୍ଷରେ ସମ୍ଭବ ହୋଇଛି ।"
କଣ ରହିଛି ଖାସ୍ ?:-ଏହି ଥ୍ରୀ ଡି' ପ୍ରିଣ୍ଟିଂ ପୋଷ୍ଟ ଅଫିସ୍ ପଛରେ ବହୁ ରୋଚକ ତଥ୍ୟ ରହିଛି । ଏହି ଡାକ ଅଫିସଟି ସ୍ବୟଂଚାଳିତ ଟେକ୍ନୋଲୋଜି ଜରିଆରେ ନିର୍ମିତ ହୋଇଛି । ପୂର୍ବରୁ ନିର୍ଦ୍ଧାରିତ ଡିଜାଇନ୍ ଅନୁସାରେ ରୋବୋଟିକ ପ୍ରିଣ୍ଟର୍ଟି ଲେୟାରଗୁଡ଼ିକୁ ଖଞ୍ଜି ଥାଏ । ଏହାପରେ ଏକ ସ୍ବତନ୍ତ୍ର ଧରଣର କଂକ୍ରିଟ୍ ସଙ୍ଗେ ସଙ୍ଗେ ଶକ୍ତ ହୋଇ ଉକ୍ତ ଲେୟାରକୁ ମଜଭୁତ କରିଥାଏ । ସାଧାରଣତଃ ଏହି ଡାକ ଅଫିସକୁ ପାରମ୍ପରିକ ଢଙ୍ଗରେ ନିର୍ମାଣ କଲେ ପ୍ରାୟ ୬ରୁ ୮ ମାସ ସମୟ ଲାଗୁଥିବା ବେଳେ ଏହି ନୂଆ ଧରଣର ରୋବୋଟିକ ଟେକ୍ନୋଲୋଜି ମାଧ୍ୟମରେ ମାତ୍ର ୪୫ ଦିନରେ ନିର୍ମାଣ କରାଯାଇଛି । ସମୟ ସାପେକ୍ଷ ନିର୍ମାଣ ଶୈଳୀର ବିକଳ୍ପ ଭାବେ ଏହି ନୂଆ ଟେକ୍ନୋଲୋଜି ଉଭା ହୋଇଛି ।