ନୂଆଦିଲ୍ଲୀ: ଭାରତର ଅର୍ଥନୀତି ବୈଶ୍ବିକ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ମହାମାରୀ ସମୟରେ ମଧ୍ୟ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ଉତ୍ତର ରଖି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
ମୋଦି କହିଛନ୍ତି, ମହାମାରୀ ସମଗ୍ର ବିଶ୍ବର ପ୍ରାୟ ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଥିବାବେଳେ ଉତ୍ପାଦନ କ୍ଷେତ୍ରରେ ଭାରତ କିନ୍ତୁ ଭଲ ପ୍ରଦର୍ଶନ କରିଛି । ଆମ ଦେଶର କୃଷକମାନେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଥିଲେ । ଯାହା ଫଳରେ ମହାମାରୀ ସମୟରେ ଦେଶର ୮୦ କୋଟି ଲୋକଙ୍କୁ ମୁକ୍ତ ରାସନ ଯୋଗାଯିବା ସମ୍ଭବ ହୋଇପାରିଛି ।
ଦେଶର କୋଭିଡ ସଂକ୍ରମଣ ମୁକାବିଲା ନେଇ ମଧ୍ୟ ଗୃହରେ ଉତ୍ତର ରଖିଛନ୍ତି ମୋଦି । ମହାମାରୀକୁ ନିୟନ୍ତ୍ରଣ କରିବାରେ ଭାରତର ଆଭିମୁଖ୍ୟ ଓ ସଫଳତା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ମହାମାରୀ କାଳରେ ମଧ୍ୟ ଦେଶର ରପ୍ତାନିରେ ବୃଦ୍ଧି ଘଟିଛି । କୃଷି, ମୋବାଇଲ୍, ସଫ୍ଟୱେୟାର ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ସର୍ବାଧିକ ରପ୍ତାନି କରି ରେକର୍ଡ ହାସଲ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରତିରକ୍ଷା ରପ୍ତାନିରେ ମଧ୍ୟ ଭାରତ ନିଜର ପରିଚୟ ସୃଷ୍ଟି କରୁଛି । ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରୁ ଏହା ସଫଳ ହୋଇ ପାରିଛି । ମହାମାରୀର ପ୍ରଭାବ ସତ୍ତ୍ବେ ମଧ୍ୟ ଦେଶର ମୋଟ ରପ୍ତାନୀ ରେକର୍ଡର ଉଚ୍ଚତମ ସ୍ତର ଛୁଇଁଛି । ମହାମାରୀର ସମୟରେ ଭାରତ ସର୍ବାଧିକ FDI ରେକର୍ଡ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।