ହାଇଦ୍ରାବାଦ: ଅଦୃଶ୍ୟ ଆତଙ୍କର ଭୟରେ ଥରୁଛି ଛାତି । ମୃତ୍ୟୁର ଗର୍ଜନରେ କମ୍ପୁଛି ଦେଶ । ନିଶ୍ବାସ ଟିକକ ପାଇଁ ତିଳତିଳ ଯନ୍ତ୍ରଣା ପରେ ଥମିଯାଉଛି ଜୀବନ । ଆଖି ଆଗରେ ଝିଅ ଦେଖୁଛି ମାଆର ମୃତ୍ୟୁ , ଭେଣ୍ଡିଆ ପୁଅକୁ ବଞ୍ଚାଇବାକୁ କରୁଛି ବୁଢା ବାପା ଗୁହାରୀ । ଚିକିତ୍ସା ଅଭାବରୁ ପୁଅ ପ୍ରାଣବାୟୁ ଉଡିଯାଇଥିବା ଦେଖି ନିରୂପାୟ ମା’ ପାଲଟିଛି ନିଶବ୍ଦ । ସ୍ବାମୀ ଭୋ ଭୋ କାନ୍ଦି କହୁଛି ମୋ ସ୍ତ୍ରୀକୁ ବଞ୍ଚେଇଦିଅ । ଆଉ ଏହି ଦୃଶ୍ୟ ସମଗ୍ର ଦେଶକୁ କରିଦେଇଛି ସ୍ତବ୍ଧ । ସିନ୍ଦୁର ପାଇଁ କୋରୋନାକୁ ଖାତିର ନକରି ଛଟପଟ ହେଉଥିବା ସ୍ବାମୀ ମୁହଁରେ ମୁହଁ ଲଗାଇ ସ୍ତ୍ରୀ ଦେଉଛି ନିଶ୍ବାସ ।
କୋଭିଡ ହସ୍ପିଟାଲ ବାହାରେ ବଞ୍ଚିବାକୁ ଆକୁଳ ଆର୍ତ୍ତନାଦ ଗୁହାରି କରିକରି ତଣ୍ଟି ଶୁଖିଯାଉଛି । ଅକ୍ସିଜେନ ବେଡଟିଏ ପାଇଁ ଲୋକ ହେଉଛନ୍ତି କାକୁତିମିନତି । ପ୍ରାଣମୁର୍ଚ୍ଛା ଉଦ୍ୟମ ପରେ ବି ରୁଗ୍ନ ସ୍ବାସ୍ଥ୍ୟବସ୍ଥା ଆପଣାର ମଣିଷକୁ ଛଡେଇ ନେଉଛି ପାଖରୁ । ଅସହାୟତାର ଏହି ଚିତ୍ର ଦେଖିଲେ ଛାତି ଫାଟିଯାଉଛି, ଆଖିରୁ ନିଗିଡି ଯାଉଛି ଲୁହର ଧାର ।