ନୂଆଦିଲ୍ଲୀ: ଭାରତରେ ସମୁଦାୟ ୧୦ଟି ବିରଳ କଳାବାଘ (ମେଲାଇନିଷ୍ଟିକ ଟାଇଗର) ଅଛନ୍ତି । ଆଉ ଏହି ସବୁ କଳାବାଘ ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ଦେଖିବାକୁ ମିଳୁଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ । ୨୦୨୨ରେ ଦେଶରେ କରାଯାଇଥିବା ବାଘ ଗଣନାରୁ ଶିମିଳିପାଳରେ ମୋଟ ୧୬ଟି ବାଘ ଥିବାର ଜଣାପଡିଥିଲା । ସେଥିରୁ ୧୦ଟି କେବଳ କଳାବାଘ ବୋଲି ଗୃହକୁ ଜଣାଇଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।
କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥାନ ପରିଚାଳନା, ମାନବ ସମ୍ବଳ ଏବଂ ଭିତ୍ତିଭୂମିର ବିକାଶ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ କେନ୍ଦ୍ରୀୟ ଯୋଜନାରେ ୩୨.୭୫ କୋଟି ଟଙ୍କା ଅର୍ଥାତ ସହାୟତା ଯୋଗାଇ ଦିଆଯାଇଛି । ୨୦୨୨ ପାନ-ଇଣ୍ଡିଆ ବାଘ ଗଣନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ୧୬ଟି ବାଘ ଅଛନ୍ତି । ସେଥିମଧ୍ୟରୁ ୧୦ଟି ମେଲାନିଜିମ (କଳାବାଘ) ପ୍ରଜାତିର । ଭାରତର ସମସ୍ତ ୧୦ଟି କଳାବାଘ ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ହିଁ ଅଛନ୍ତି । ଆନୁବଂଶିକ ସଂରଚନା ଆଧାରରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଏକ ବିଶିଷ୍ଟ ସଂରକ୍ଷଣ କ୍ଲଷ୍ଟର ଭାବେ ଜଣାଯାଏ ।
ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜି ସାଇନ୍ସ(NCBS)ର ପରିବେଶବିତ୍ ଉମା ରାମକ୍ରିଷ୍ଣ ଏବଂ ତାଙ୍କର ଛାତ୍ର ବିନୟ ସାଗର ୨୦୨୧ରେ ବାଘ ଉପରେ ଅଧ୍ୟୟନ କରିଥିଲେ । ଟ୍ରାନ୍ସମେମ୍ବ୍ରେନ ଆମିନୋପେପଟିଡେଜ କ୍ୟୁ ଜିନର ଏକକ ମ୍ୟୁଟେସନ କାରଣରୁ ବାଘର ରଙ୍ଗ କଳା ହେଉଥିବା ଏହି ଅଧ୍ୟୟନରୁ ଜଣାପଡିଥିଲା ।