ନୂଆଦିଲ୍ଲୀ:ଆଉ ଦିନକ ପରେ ସାରା ଦେଶ ପାଳିବାକୁ ଯାଉଛି ୭୭ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ ଲାଲକିଲ୍ଲାରେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ସଶସ୍ତ୍ର ବାହିନୀର ଫୁଲ ଡ୍ରେସ ରିହର୍ସଲ ଜାରି ରହିଛି ।
ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ 'ମେରୀ ମାଟି ମେରା ଦେଶ' ଅଭିଯାନ ଘୋଷଣା କରିଛନ୍ତି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା । ଶହୀଦମାନଙ୍କ ସ୍ମୃତିରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ କହିଥିଲେ । ସେହିପରି ଆଜିଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପ୍ରତିଟି ଭାରତୀୟଙ୍କ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆହ୍ବାନ୍ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଜାତୀୟ ପତାକା ସ୍ୱାଧୀନତା ଏବଂ ରାଷ୍ଟ୍ରୀୟ ଏକତାର ପ୍ରତୀକ । ହର୍ ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଆସନ୍ତୁ ସମସ୍ତେ ନିଜ ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରିବା । ଏହି ଅଭିଯାନକୁ ସମର୍ଥନ କରିବା, ଯାହା ଆମ ଦେଶ ଓ ଆମ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଆଜି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେଘରେ ତ୍ରିରଙ୍ଗା ଉଡ଼ାଇବା ସହିତ ସେଲ୍ଫି ଉଠାଇ ହର ଘର ତ୍ରିରଙ୍ଗା ସାଇଡରେ ଅପଲୋଡ୍ କରିବାକୁ ଶୁକ୍ରବାର ଟ୍ବିଟ୍ କରିଥିଲେ ମୋଦି ।