ନୂଆଦିଲ୍ଲୀ:ଋଷିଆରେ ପଢିପାରିବେ ୟୁକ୍ରେନ ଫେରାନ୍ତା ମେଡିକାଲ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡିଥିବା ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଅଫର ଦେଇଛି ଋଷିଆ । ଡାକ୍ତରୀ ଛାତ୍ରଛାତ୍ରୀ ଚାହିଁଲେ ଋଷିଆରେ ନିଜର ଶିକ୍ଷା ପୁରା କରିପାରିବେ(Indian students can complete education in Russia) । କାରଣ ଋଷିଆର ମେଡିକାଲ ସିଲାବସ୍ ୟୁକ୍ରେନ ସିଲାବସ୍ ସହ ପ୍ରାୟତଃ ସମାନ । ୟୁକ୍ରେନର ଅଧିକାଂଶ ଲୋକ ଋଷୀୟ ଭାଷାରେ କଥା ହୁଅନ୍ତି । ସେଥିପାଇଁ ଛାତ୍ରଛାତ୍ରୀ ମଧ୍ୟ ଏହି ଭାଷା ଜାଣନ୍ତି । ତେଣୁ ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷିଆରେ ପଢିବା ପାଇଁ ସ୍ବାଗତ କରାଯିବ । ଚେନ୍ନାଇରେ ଥିବା ଋଷିଆର ବାଣିଜ୍ୟିକ ରାଷ୍ଟ୍ରଦୂତ ଓଲେଗ ଅବଦୀବ(Oleg Avdeev) ଏହିକଥା କହିଛନ୍ତି ।
ଚଳିତ ବର୍ଷ ଫେବୃୟାରୀରୁ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । ଏହାଯୋଗୁଁ ଯୁଦ୍ଧଗ୍ରସ୍ତ ଦେଶରେ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କ କ୍ୟାରିୟର ବଳି ପଡିଯାଇଛି । ଯୁଦ୍ଧରୁ ପ୍ରାଣ ବଞ୍ଚାଇବା ପାଇଁ ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀ ସ୍ବଦେଶ ଫେରିଆସିଛନ୍ତି । ହେଲେ ଭାରତରେ ପଢିବାର ସୁଯୋଗ ପାଉନାହାଁନ୍ତି । ନିଜର ଭବିଷ୍ୟତ ନେଇ ଏହି ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ଋଷିଆରେ ନିଜର ମେଡିକାଲ ଶିକ୍ଷା ପୁରା କରିବାକୁ ସୁଯୋଗ ମିଳିଛି । ଏ ସମ୍ପର୍କରେ ଚେନ୍ନାଇରେ ଋଷିଆର ବାଣିଜ୍ୟିକ ରାଷ୍ଟ୍ରଦୂତ ଜଣାଇଛନ୍ତି ।