ନୂଆଦିଲ୍ଲୀ: ଆରବ ସାଗର କ୍ଷେତ୍ର ତଥା ନିକଟବର୍ତ୍ତୀ ଜଳରାଶିରେ ପାକିସ୍ତାନ ଏବଂ ଚୀନ୍ ନୌସେନାର କାର୍ଯ୍ୟକଳାପ ବୃଦ୍ଧିକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛି ଭାରତୀୟ ନୌସେନା । ବର୍ତ୍ତମାନ ପଶ୍ଚିମ ଉପକୂଳର ସୁରକ୍ଷା ଓ ସର୍ଭିଲାନ୍ସ ବ୍ୟବସ୍ଥା ସୁଦୃଢ କରିବା ପାଇଁ ନୌସେନାର ଆଣ୍ଟି-ବୁଡ଼ାଜାହାଜ ପ୍ରତିରୋଧୀ ଫ୍ରଣ୍ଟଲାଇନ P-8I ବିମାନକୁ ଗୋଆରେ ନିୟୋଜିତ କରିଛି ଭାରତୀୟ ନୌସେନା । ଏହି ବିମାନ ଗୋଆରେ ଥିବା ନାଭାଲ ଏୟାର ଷ୍ଟେସନ INS ହଂସରେ ନିୟୋଜିତ ରହିବ । ଏହି ଅତ୍ୟାଧୁନିକ ବିମାନର ଉପସ୍ଥିତି ଫଳରେ ଗୋଆରେ ସୁରକ୍ଷା ଓ ସର୍ଭିଲାନ୍ସ ବ୍ୟବସ୍ଥା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଭାରତୀୟ ନୌସେନାର ଜଣେ ମୁଖପାତ୍ର କହିଛନ୍ତି ଯେ,ନୌସେନାର ବୋଇଙ୍ଗ P-8I ବିମାନ ଓ ଅନ୍ୟ ଦୁଇ ବିମାନ ୩୦ ଡିସେମ୍ବର (ମଙ୍ଗଳବାର) INS ହଂସ ନାଭାଲ ଏୟାର ଷ୍ଟେସନରେ ଅବତରଣ କରିଥିଲେ । ତେବେ ଏହାକୁ ଆଜି ଠାରୁ ଅପରେସନରେ ସାମିଲ କରାଯାଇଛି । ସ୍ୱଦେଶୀ ଯନ୍ତ୍ରପାତିରେ ନିର୍ମିତ ଏହି ବୋଇଂକୁ ସଫଳ ପରୀକ୍ଷଣ ପରେ ନୌସେନାରେ ସାମିଲ କରାଯାଇଥିଲା ।