କଲୋମ୍ବୋ:ପଡୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଭାରତ ସୈନ୍ୟ ପ୍ରେରଣ କରିପାରେ ଲାଗି ରହିଥିବା ଚର୍ଚ୍ଚାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତ ପକ୍ଷରୁ ସୈନ୍ୟ ପ୍ରେରଣ ନେଇ କୌଣସି ଯୋଜନା ନଥିବା ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଶ୍ରୀଲଙ୍କାରେ ସ୍ଥିତି ଅଣାୟତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ସେନା ହିଂସା ଦମନ କରିବା ଦିଗରେ ସଫଳ ହେବା ପରି ସ୍ଥିତିରେ ଦୃଶ୍ୟମାନ ହେଉନାହିଁ । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ମଧ୍ୟ ରାଜଧାନୀ ଛାଡି ଅନ୍ୟତ୍ର ଆତ୍ମଗୋପନ କରିଛନ୍ତି । ରାଷ୍ଟ୍ରପତି ଭବନ ସମେତ ଅନେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଏବେ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରହିଛି । ବିଭିନ୍ନ ସ୍ଥାନରେ ହିଂସା ଲାଗିରହିଛି । ଜନ ପ୍ରତିନିଧିମାନେ ଆକ୍ରମଣର ଶିକାର ହେବାର ଲାଗିଛନ୍ତି । ଏପରି ଅଣାୟତ୍ତ ସ୍ଥିତିରେ ଭାରତ ସ୍ଥିତି ନିୟନ୍ତ୍ରଣ ପାଇଁ ସୈନ୍ୟ ପ୍ରେରଣ କରିପାରେ ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।