ଅମରାବତୀ: ୟୁକ୍ରେନ୍ରୁ ପୋଷା ଜାଗୁଆର ଓ ବ୍ଲାକ୍ ପାନ୍ଥରକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କଲେ ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତର(indian doctor unusual pets in Ukraine) । ଋଷିଆ ଓ ୟୁକେନ୍ ମଧ୍ୟରେ ଯୁଦ୍ଧ ବେଳେ ଡାକ୍ତରଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ପଡ଼ିଥିଲା । ସେହି ସମୟରେ ମଧ୍ୟ ନିଜ ପାଳିତ ପଶୁଙ୍କୁ ସାଙ୍ଗରେ ନେଇଯିବାକୁ ଅପିଲ୍ କରିଥିଲେ ଡାକ୍ତର । ତେବେ ଯୁଦ୍ଧ ତୀବ୍ର ହେବାରୁ ତାଙ୍କୁ ୟୁକ୍ରେନ୍ରେ ପାଳିତ ଜାଗୁଆର ଓ ବ୍ଲାକ୍ ପାନ୍ଥରକୁ ଛାଡ଼ି ଆସିବାକୁ ପଡ଼ିଥିଲା ।
ବର୍ତ୍ତମାନ ପୁନଃ ଡାକ୍ତର ଜଣକ ୟୁକ୍ରେନ୍ରୁ ଜାଗୁଆର ଓ ବ୍ଲାକ୍ ପାନ୍ଥରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ଗିଦିକୁମାର ପାଟିଲ୍ ଜଣେ ହାଡ଼ ରୋଗ ବିଶେଷଜ୍ଞ । ତେବେ ଅସ୍ବାଭାବିକ ପଶୁ ପାଳିବା ସଉକ ଯୋଗୁଁ ଏବେ ସେ ଡାକ୍ତର ଜାଗୁଆର ନାମରେ ପରିଚିତ ହୋଇଛନ୍ତି । ୟୁକ୍ରେନ୍ରେ ଡାକ୍ତରଙ୍କ ପାଖରେ ଏକ ବିରଳ ପ୍ରଜାତିର ଜାଗୁଆର ରହିଥିଲା । ଏହା ଜାଗୁଆର ଓ ଚିତାବାଘର ହାଇବ୍ରିଡ୍ ପ୍ରଜାତିର ଜାଗୁଆର, ଯାହାର ନାମ ୟଶା । ସେହିଭଳି ଏକ ଦୁର୍ଳଭ ବ୍ଲାକ୍ ପାନ୍ଥର ମଧ୍ୟ ରହିଥିଲା ଏହାର ନାମ ରହିଛି ସବରୀନା ।
ୟୁକ୍ରେନ୍ ଛାଡ଼ିବା ବେଳେ ଡାକ୍ତର ଜଣକ ବିକଳ୍ପ ଭାବରେ ପୂର୍ବ ୟୁକ୍ରେନ୍ର ଲୁହାନ୍ସ୍କରେ ଦୁଇ ପାଳିତ ପଶୁଙ୍କୁ ଜଣେ ଚାଷୀଙ୍କ ପାଖରେ ଛାଡ଼ିଦେଇ ଆସିଥିଲେ । ସେହି ସମୟରେ ଦୁଇ ପୋଷା ବିଗ୍କ୍ୟାଟ୍କୁ ଭାରତ ନେଇ ଆସିବା ପାଇଁ ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ କୌଣସି ସହାୟତା କରି ପାରିନଥିଲା । ବର୍ତ୍ତମାନ ଡାକ୍ତର ଜଣକ ପୋଲାଣ୍ଡର ୱାର୍ସୋରେ ରହୁଥିବା ବେଳେ ତେବେ ଭାରତ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଦୁଇ ପାଳିତ ପଶୁଙ୍କ ସ୍ଥିତି ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି ।
ଡାକ୍ତର ଜଣକ କହିଛନ୍ତି, "ମୋର ଦୁଇଟି ବିଲେଇ ମୋ ଠାରୁ ଦୂରରେ ଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ଏଥିପାଇଁ ଅବସାଦରେ ରହୁଛି । ମୁଁ ସବୁବେଳେ ସେମାନଙ୍କ ବିଷୟରେ ଭାବୁଛି । ସେମାନଙ୍କ ସୁରକ୍ଷା ପାଇଁ କାମନା କରୁଛି ।" ଚଳିତ ବର୍ଷ ଆରମ୍ଭରୁ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପୂର୍ବରୁ ସେଠାରେ ଜଣେ ୟୁକ୍ରେନ ନାଗରିକ ଭାବରେ ଡାକ୍ତର ଗିଦିକୁମାର ପାଟିଲ୍ ସେବେରୋଡନେତ୍ସକର ସ୍ବାବତୋବରେ ଏକ ହସ୍ପିଟାଲ୍ରେ କାମ କରୁଥିଲେ । ପ୍ରାୟ ଦୁଇ ବର୍ଷ ପୂର୍ବରୁ ରାଜଧାନୀ କିଭ୍ର ଏକ ଚିଡ଼ିଆ ଘରୁ ଦୁଇଟି ଅସ୍ବାଭାବିକ ଜୀବଙ୍କୁ ପୋଷା ମନାଇଥିଲେ ଡାକ୍ତର ।