ମୁମ୍ବାଇ: ବାପା.. ବାପା.., ମାଆ.. ମାଆ.. ଡାକି ଡାକି ଥକିଗଲେ ବି କେହି ଉଠିଲେନି କି ଶୁଣିଲେନି । ଶେଷରେ ବାଲକୋନୀରେ ଆସି କଇଁ କଇଁ ହୋଇ କାନ୍ଦିଲା 4 ବର୍ଷର ଝିଅ । ଝିଅର କାନ୍ଦଦେଖି ପଡୋଶୀ ଘରକୁ ଯାଇ ଦେଖନ୍ତି ତ 2 ଟି ମୃତଦେହ ପଡିଛି । ମୃତଦେହ ଆଉ କାହାର ନୁହେଁ ବରଂ କଇଁ କଇଁ ହୋଇ କାନ୍ଦୁଥିବା କୁନିଝିଅ ବାପା ଓ ମା’ଙ୍କର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ୟୁଏସରେ ରହୁଥିବା ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଖବର ଆଜି (ଶୁକ୍ରବାର) ସାମ୍ନାକୁ ଆସିଛି ।
ତେବେ ବାଲାଜୀ ଭାରତ ରୁଦ୍ରଓ୍ବାର(32) ଏବଂ ଆରତୀ ବାଲାଜୀ ରୁଦ୍ରଓ୍ବାର(30) ନାମକ ଭାରତୀୟ ଦମ୍ପତି ଆମେରିକାର ନ୍ୟୁଜର୍ସିରେ ରହୁଥିଲେ । ୟୁଏସରେ ରହୁଥିବା ଏହି ଭାରତୀୟ ଦମ୍ପତିଙ୍କ ଘର ମୁମ୍ବାଇରେ । ଆମେରିକାର କିଛି ଗଣମାଧ୍ୟମ ସୂଚନା ଅନୁଯାୟୀ ଛୁରାମାଡରେ ଉଭୟଙ୍କର ମୃତ୍ୟୁ ଘଟିଛି । ମାତ୍ର କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।