ନୂଆଦିଲ୍ଲୀ: ଭାରତ ଏବଂ ଚୀନ ବିବାଦର ବାହାରୁନି ସମାଧାନର ବାଟ । ସେନା ପ୍ରତ୍ୟାହାର ନେଇ ବାରମ୍ବାର ବୈଠକ ପରେ ମଧ୍ୟ ଜିଦରେ ଅଟଳ ଚୀନ । ସେପଟେ ଆଜି ପୁଣି ଥରେ କୋର-କମାଣ୍ଡରସ୍ତୀରୟ ଆଲୋଚନା ହେବାକୁ ଯାଉଛି । 8 ମ ଥର ଲାଗି ଉଭୟ ଦେଶ ମଧ୍ୟରେ ବୈଠକ ବସିବ । ଏଥର ମଧ୍ୟ ଭାରତର ଆଭିମୁଖ୍ୟ ପୂର୍ବ ଲଦାଖରୁ ଚୀନ ସେନା ପ୍ରତ୍ୟାହାର ରହିବ । ଅଷ୍ଟମ ରାଉଣ୍ଡ ଆଲୋଚନାରେ ଭାରତୀୟ ପ୍ରତିନିଧିତ୍ବ କରିବେ ଲେଫ୍ଟନାଣ୍ଟ ଜେନେରାଲ ପିଜି କେ ମେନନ ।
ଉଭୟ ଦେଶ ମଧ୍ୟରେ ଆଲୋଚନା ଶୁକ୍ରବାର ସକାଳ 9 ଟା ସମୟରେ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୁଶୁଳରେ ଅନୁଷ୍ଠିତ ହେବ ।
ପୂର୍ବ ଲଦାଖରେ ସ୍ଥିତିକୁ ଦେଖି ଭାରତ 50 ହଜାର ସୈନିକ ନିୟୋଜିତ କରିଛନ୍ତି । ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ହାଡ ଭଙ୍ଗା ଶୀତରେ ମଧ୍ୟ ପାର୍ବତ୍ୟାଞ୍ଚଳରେ ସେନା ମୁତୟନ ହୋଇଛନ୍ତି । ଗତ 6 ମାସ ଧରି ପୂର୍ବ ଲଦାଖ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ମିଳିପାରୁନାହିଁ । ସେପଟେ, ଚୀନ ସେନା ମଧ୍ୟ 50 ହଜାର ସୈନିକ ନିୟୋଜିତ କରିଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।