ନୂଆଦିଲ୍ଲୀ:ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଏସଆଇକୁ ଭାରତ-ଚୀନ ସୀମାରେ ସାମରିକ ଗତିବିଧି ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ଜଣେ ସେନା ଯବାନ । ଏପରି ଅଭିଯୋଗ ପରେ ଜଣେ ଯବାନଙ୍କ ବିରୋଧରେ ସେନା କୋର୍ଟ ମାର୍ଶଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଏହି ଯବାନଜଣଙ୍କ ଭାରତ-ଚୀନ ସୀମାରେ ଦେଶର ସାମରିକ ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ କାର୍ଯ୍ୟରତ ଜଣେ ଗୁଇନ୍ଦା ଅଧିକାରୀଙ୍କୁ ପ୍ରଦାନ କରିଥିବା ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା । ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହି କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ସେନା ସୂତ୍ରରୁ ସୂଚନା ମିଳିଛି ।
ଜାତୀୟ ଖବର ସରବରାହ ସଂସ୍ଥା ANI କୁ ମିଳିଥିବା ତଥ୍ୟ ଅନୁସାରେ, ଅଲିମ ଖାନ ନାମକ ଜଣେ ଯବାନ ଏପରି କରିଛନ୍ତି । ଉତ୍ତର ସୀମାରେ ଭାରତୀୟ ସେନାର ଗତିବିଧି ଓ ଅନ୍ୟ କିଛି ଗୁପ୍ତ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିର ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବାର ତଥ୍ୟ ମିଳିଥିଲା । ଏପରି ସୂଚନା ହାତେଇଥିବା ପାକିସ୍ତାନୀ ଅଧିକାରୀଜଣଙ୍କ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିଥିବାର ମଧ୍ୟ ସୂଚନା ମିଳିଛି । ଯବାନଜଣଙ୍କ ଏପରି କରିଥିବା ବେଳେ ନିକଟରେ ଗୁଇନ୍ଦା ସଂସ୍ଥା ସ୍କାନରକୁ ଆସିଥିଲେ । ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇପାରେ ।
ଦିଲ୍ଲୀରେ ପାକିସ୍ତାନୀ ଦୂତାବାସରେ କାର୍ଯ୍ୟରତ ଥିବା ଏହି ପାକ ଅଧିକାରୀଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ତାଙ୍କ ନାମ ଆବିଦ ହୁସେନ ଆଲ୍ଲିଆସ ନାଏକ । ପ୍ରକୃତରେ ସେ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ହୋଇଥିବା ବେଳେ ଗୁଇନ୍ଦା ମିଶନରେ ସେ ଭାରତରେ ଥିବା ପାକିସ୍ତାନ ଦୂତାବାସରେ କାର୍ଯ୍ୟ କରୁଥିଲେ । ଏହି ଅଧିକାରୀଜଣଙ୍କ ସୂଚନା ପ୍ରଦାନ କରିବା ପାଇଁ ଭାରତୀୟ ଯବାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିଥିବା ମଧ୍ୟ ଜଣାପଡିଛି ।