କୋଲକାତା:ପଶ୍ଚିମବଙ୍ଗ ସୁକମାରେ ଭାରତୀୟ ସ୍ଥଳସେନା ଦ୍ବାରା ଆୟୋଜିତ ଅଭ୍ୟାସ ବେଳେ ସେନା ଗୁଳିରେ 3 ହାତୀଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ସାରିଥିବା ବେଳେ ସେନା ଏହି ଅଘଟଣକୁ ସ୍ବୀକାର କରିବା ସହ ଶୋକ ପ୍ରକାଶ କରିଛି । ସେହିପରି ଜଙ୍ଗଲ ଏରିଆରେ ସେନାଭ୍ୟାସ ବେଳେ ଏପରି ଅଘଟଣ ପ୍ରତି ସମ୍ବେଦନଶୀଳ ହେବା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସେନା ପ୍ରକାଶ କରିଥିବା ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପଶ୍ଚିମବଙ୍ଗର ସୁକମା ନିକଟବର୍ତ୍ତୀ ଜଙ୍ଗଲରେ ମାର୍ଚ୍ଚ 13 ଓ 14 ରେ ସେନା ପକ୍ଷରୁ ଦୁଇ ଦିନିଆ ଅଭ୍ଯାସ ହୋଇଥିଲା । ପରେ ଜଙ୍ଗଲରୁ 3 ହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସମସ୍ତ ମୃତ ହାତୀଙ୍କ ଶରୀରରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଏହା ଗୁଳି ଲାଗିବା ଓ ଅତ୍ୟଧିକ ରକ୍ତସ୍ରାବ ପାଇଁ ମୃତ୍ୟୁ ହୋଇଥିବା କାରଣ ସାମ୍ନାକୁ ଆସିଥିଲା । ଘଟଣା ନେଇ ରାଜ୍ୟ ବନ ବିଭାଗ ଆର୍ମୀ ସହ ଯୋଗାଯୋଗ କରିଥିଲା । ହେଲେ ପ୍ରାଥମିକ ଭାବେ ସେନା ଏହାକୁ ଖଣ୍ଡନ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତଦନ୍ତରୁ ଏହା ଗୁଳିମାଡ ଜନିତ ମୃତ୍ୟୁ ବୋଲି ଜାଣିବାକୁ ପାଇଥିଲା ସେନା । ଏନେଇ ସେନା ସ୍ବୀକାର କରିବା ସହ ଏପରି ଅଘଟଣ ପାଇଁ ଶୋକ ମଧ୍ୟ ପ୍ରକାଶ କରିଛି ।