ନୂଆଦିଲ୍ଲୀ: ଶତ୍ରୁ ପକ୍ଷ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭାରତ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ପୂର୍ବ ଲଦାଖ ସୀମାରେ ସ୍ଥିତି ସମୀକ୍ଷା ସମୟରେ ଏପରି କହିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ।
ତେବେ ନରୱାଣେ ସୀମା ତଦାରଖ ସମୟରେ ଚୀନ ଚଳାଇଥିବା କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଚାଇନା ସୀମାରେ ଅଧିକରୁ ଅଧିକ ଯବାନ ମୁତୟନ କରିଥିବା କହିଛନ୍ତି ସ୍ଥଳ ସେନା ମୁଖ୍ୟ । ସବୁ ପରେ ବି ଶତ୍ରୁ ପକ୍ଷ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭାରତୀୟ ସେନା ସବୁର ଜବାବ୍ ଦେବାକୁ ତୟାର ବୋଲି ଦମ୍ଭୋକ୍ତିର ସହ କହିଛନ୍ତି ନରୱାଣେ ।
ସ୍ଥିତି ଯାଞ୍ଚ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ଯାଇଛନ୍ତି । ଏହି ଅବସରରେ ସୀମା ସ୍ଥିତି ସମୀକ୍ଷା କରି ସେ କହିଛନ୍ତି, ଏଲଏସିର ଅପରପାର୍ଶ୍ୱରେ ଚୀନ ଘାଟିରେ ଅଧିକ ସଂଖ୍ୟକ ଯବାନ ମୁତୟନ କରିଛି । ଏହା ନିଶ୍ଚିତ ଚିନ୍ତାର ବିଷୟ । କିନ୍ତୁ ଡ୍ରାଗନର ସବୁ ପ୍ରକାରର ଗତିବିଧି ଉପରେ ସେନା ବାହିନୀର ନଜର ରହିଛି । ଆମେ ସବୁ ପ୍ରକାରର ପରିସ୍ଥିତିର ଜବାବ ଦେବାକୁ ପ୍ରସ୍ତୁତ । ପ୍ରତିଟି ମୁକାବିଲାର କଡା ଜବାବ ଦିଆଯିବ ।
ତେବେ, ଚୀନ ସୀମା ଆରପଟେ ବହୁମାତ୍ରରେ ସୈନ୍ୟ ଏବଂ ଆଧୁନିକ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି । ଭାରତ ମଧ୍ୟ କାଉଣ୍ଟର ଡିପ୍ଲୟମେଣ୍ଟ (ଜବାବୀ ମୁତୟନ) କରିଛି ।
ଦୀର୍ଘଦିନ ଧରି ଲଦାଖ ସୀମାରେ ଚୀନ ସହ ବିବାଦ ଲାଗି ରହିଛି । ନିକଟରେ ଦୁଇ ଦେଶ ଆଲୋଚନା ଦ୍ୱାରା ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର କରିଛନ୍ତି । ତଥାପି ଆହୁରି କିଛି ବିବାଦୀୟ ସ୍ଥାନରେ ଏବେ ଉଭୟ ଦେଶର ଯବାନ ଆମ୍ନାସାମ୍ନି ଠିଆ ହୋଇଛନ୍ତି ।