ନୂଆଦିଲ୍ଲୀ:ସମ୍ମାନନକ ଗ୍ରେମୀ ଆଓ୍ବାର୍ଡ-2024 (Grammy Awards) ପାଇଁ ମନୋନୀତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଖିତ ଓ ଭାରତୀୟ-ଆମେରିକୀୟ ଗାୟିକା ପାଲ୍ଗୁନୀ ଶାହ ଗାଇଥିବା ମିଲେଟ ସଂଗୀତ ‘ଏବଡେନ୍ସ ଇନ ମିଲେଟ’ (Abundance in Millets) । ଗ୍ଲୋବାଲ ମ୍ୟୁଜିକ ଭିଡିଓ ବର୍ଗରେ ଗ୍ରେମୀ ଆଓ୍ବାର୍ଡ 2024 ପାଇଁ ଏହାକୁ ନୋମିନେଟ କରାଯାଇଛି । ଏହି ସଙ୍ଗୀତରେ ମିଲେଟ (ମାଣ୍ଡିଆ ଜାତୀୟ ଶସ୍ୟ)ର ଉପକାରିତା ଓ ଏହାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ପ୍ରୟାସ ଓ ଭିଜନକୁ ବର୍ଣ୍ଣନା କରାଯାଇଛି । ଏହାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ବେଳେ ଏଥିରେ କଣ୍ଠଦାନ କରିଥିବା ଭାରତୀୟ-ଆମେରିକୀୟ ଗାୟିକା ଫାଲ୍ଗୁନି ଶାହ ହେଉଛନ୍ତି ‘ଗ୍ରେମୀ ଆଓ୍ବାର୍ଡ ବିଜେତା’ । ଏହି ସଙ୍ଗୀତକୁ ଜୁନ୍ 16 ତାରିଖରେ ଆମେରିକାରେ ରିଲିଜ୍ କରାଯାଇଥିଲା । ଏଥିରେ ଫାଲ୍ଗୁନି ଓ ତାଙ୍କ ସ୍ବାମୀ ଗୌରବ ଶାହ ମଧ୍ୟ କଣ୍ଠଦାନ କରିଛନ୍ତି । ଏହା ଏବେ ୟୁଟ୍ୟୁବରେ ଉପଲବ୍ଧ ରହିଛି । ଏହା ରିଲିଜ ହେବା ପରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିସାରିଛି ।
ଫାଲ୍ଗୁନି ଶାହ ଏକ୍ସରେ ପୋଷ୍ଟ କରିଛନ୍ତି:
ଫାଲଗୁନି ଶାହା ତାଙ୍କ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ପୂର୍ବରୁ ଏହି ସୂଚନା ଦେଇସାରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି,‘‘ ଆମର ‘ଏବଡେନ୍ସ ଇନ ମିଲେଟ’ ସଙ୍ଗୀତର ଭିଡିଓ ବର୍ତ୍ତମାନ ରିଲିଜ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି ସଙ୍ଗୀତ ଲେଖାଯାଇଛି । କୃଷକମାନଙ୍କୁ ମିଲେଟ ଉତ୍ପାଦନ କ୍ଷେତ୍ରରେ ଅଧିକ ଉତ୍ସାହୀ କରିବା ଓ ବିଶ୍ବ କ୍ଷୁଧାକୁ ଦୂରୀକରଣ ପାଇଁ ଚଳିତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି ।’’