ନୂଆଦିଲ୍ଲୀ:ଦେଶରେ ଖସୁଛି କୋରୋନା ଗ୍ରାଫ୍ । ଦୀର୍ଘ ଦିନ ପରେ ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 4,417 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 4,417 fresh Covid Cases) । ଗତକାଲି ଏହି ସଂଖ୍ୟା 5,910 ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବାବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 6,032 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,38,86,496ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 52,336ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.20% ରହିଛି । ସେହିପରି ସାପ୍ତାହିକ ହାର 2.06%କୁ ହ୍ରାସ ପାଇଛି । ଏବେସୁଦ୍ଧା ଦେଶରେ 88.77 କୋଟି କୋରୋନା ଟେଷ୍ଟିଂ କରାଯାଇଛି । ଗତ 24 ଘଣ୍ଟାରେ 3,67,490 ଟେଷ୍ଟିଂ ହୋଇଛି । ଆଜି ପର୍ଯ୍ୟନ୍ତ କୋରୋନା 5,28,030 ହଜାରରୁ ଅଧିକ ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେ ଦେଶରେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି ।