ଭୋପାଳ:ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ ଜାରି ରହିଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଫଳରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତ । ପ୍ରଥମ ଇଂନିସରେ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୯୯ ରନ୍ କରିଛି । ଅଷ୍ଟ୍ରେଲିଆ ଆଗରେ 400 ରନର ଟାର୍ଗେଟ । ଏହି ସିରିଜର ପ୍ରଥମ ମ୍ୟାଚ୍ଟି ଭ୍ରମଣକାରୀ ଦଳ ପରାସ୍ତ ହୋଇଥିବାବେଳେ କର ବା ମର ପରିସ୍ଥିତିରେ ସଂଘର୍ଷ କରୁଛି ଦଳ । ବର୍ଷା କାରଣରୁ କିଛି ସମୟ ଖେଳ ସ୍ଥଗିତ ରହିଥିଲା ।
ଦିନିକିଆ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚରେ କେଏଲ ରାହୁଲ ଅଧିନତ୍ବରେ ପଡିଆକୁ ଓହ୍ଲାଇଛି ଭାରତ । ଦଳର ଶୁଭମନ ଗିଲ, ଶ୍ରେୟାସ ଆୟର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶୁଭମନ ଗିଲ ୯୦ଟି ବଲରେ ୧୦୪ ରନ୍ କରିଥିବାବେଳେ ଶ୍ରେୟାସ ଆୟର ୯୭ଟି ବଲରେ ୧୦୫ରନ୍ କରିବାରେ ସଫଳ ହୋଇଥିଲେ । ଭାରତର ବ୍ୟାଟ୍ସମ୍ୟାନଙ୍କ ଯାଦୁରେ ଦଳୀୟ ସ୍କୋର ୩୯୯ରେ ପହଞ୍ଚିଥିଲା । ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା ।
ଯଶପ୍ରୀତ ବୁମରା ଆଜିର ମ୍ୟାଚ୍ ଖେଳୁ ନଥିବାବେଳେ, ତାଙ୍କ ସ୍ଥାନରେ ଚୂ଼ଡାନ୍ତ ଏକାଦଶରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଥିଲା । ବୋଲିଂରେ ଭାରତୀୟ ଦଳ ପରବର୍ତ୍ତନ କରିଥିବାବେଳେ ବ୍ୟାଟିଂରେ କୌଣସି ପରିବର୍ତ୍ତନ କରିନାହିଁ ଦଳ । ଭାରତ ପ୍ରଥମ ମ୍ୟାଚରେ ବିଜୟ ହୋଇ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ ଜିତି ଦୃଢ ମନୋବଳରେ ରହିଛି ଭାରତ ।
ଏହା ମଧ୍ୟ ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ