ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ଗୋଷ୍ଠୀଭୁକ୍ତ ହେବା ପରି ଦୃଶ୍ୟମାନ ହେଉଛନ୍ତି । ଏପରି ବୈଶ୍ବିକ ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଭାରତ ଆମେରିକା ମଧ୍ୟରେ 2 ପ୍ଲସ 2 ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଆସନ୍ତା ମାସ (ନଭେମ୍ବର) 2ୟ ସପ୍ତାହରେ ଏହି ଗୁରୁତ୍ବପୂର୍ଣ୍ଣ ରଣନୈତିକ ଆଲୋଚନା ହେବା ନେଇ ସୂଚନା ମିଳିଛି । ଉଭୟ ଭାରତ ଓ ଆମେରିକାର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ପ୍ରତିପକ୍ଷ ତଥା ଆମେରିକାର ପ୍ରତିରକ୍ଷା ସଚିବ ଲୟାଡ ଜେ ଅଷ୍ଟିନ ଓ ବିଦେଶ ସଚିବ ଆଣ୍ଟୋନି ବ୍ଲିକେନଙ୍କ ମଧ୍ୟରେ ଏହି ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଯାଉଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏଥିରେ ଦୁଇ ଦେଶ ମଧ୍ୟରେ ବିଦେଶ ଓ ପ୍ରତିରକ୍ଷା ରଣନୀତି ନେଇ ଆଲୋଚନା ହେବ । ଯାହା ବର୍ତ୍ତମାନ ସମୟରେ ବେଶ ଗୁରୁତ୍ବପୂର୍ଣ୍ଣ । ତେବେ ଏହି ବୈଠକର ମୁଖ୍ୟାଂଶ ଭାବେ ଉଭୟ ଦେଶର ପ୍ରତିପକ୍ଷ ଇସ୍ରାଏଲ୍-ହମାସ୍ ଯୁଦ୍ଧ କାରଣରୁ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ସମେତ ବିଶ୍ୱ ତଥା ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।
2018 ରୁ ଭାରତ ଓ ଆମେରିକା ମଧ୍ୟରେ ଏହି ଦୁଇ ମନ୍ତ୍ରୀସ୍ତରୀୟ ଆଲୋଚନା ଆରମ୍ଭ ହୋଇଥିଲା । ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ଏହି ଆଲୋଚନା ଶୃଙ୍ଖଳାରେ ଅଂଶଗ୍ରହଣ କରିଆସୁଛନ୍ତି । ଚଳିତ ଥର ଏହି ଆଲୋଚନା 5ମ ସଂସ୍କରଣରେ ପହଞ୍ଚିବାକୁ ଯାଉଛି । ତେବେ ଗତବର୍ଷ ୟୁକ୍ରେନ ଓ ଋଷର ଯୁଦ୍ଧ ସ୍ଥିତି ଜଟିଳ ପର୍ଯ୍ୟାୟରେ ଥିବା ବେଳେ ଏହି ଆଲୋଚନା ହୋଇଥିଲା । ଯାହାକୁ ନେଇ ସମଗ୍ର ବିଶ୍ବର ନଜର ଉଭୟ ଦେଶର ରଣନୈତିକ ଆଭିମୁଖ୍ୟ ଉପରେ ରହିଥିଲା । ଚଳିତ ଥର ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଏହି ଆଲୋଚନା ହେବାକୁ ଯାଉଛି । ଯାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ ମଧ୍ୟ ।