ନୂଆଦିଲ୍ଲୀ:ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ଜି-୨୦ ଶିଖର ସମ୍ମିଳନୀ । ଜି-୨୦ ଜରିଆରେ ଭାରତ ବର୍ଷର ମହାନ କଳା, ସଂସ୍କୃତି, ଐତିହ୍ୟ ଦେଖୁଛି ସମଗ୍ର ବିଶ୍ବ । ଏହି ବୈଶ୍ବିକ ସମ୍ମିଳନୀରେ ଉତ୍କୃଷ୍ଟ ଉତ୍କଳୀୟ କାରୁକାର୍ଯ୍ୟର ମଧ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଭାରତ ମଣ୍ଡପମର ସ୍ବାଗତ ସ୍ଥଳରେ ଶୋଭା ପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ପ୍ରଧାନମନ୍ତ୍ରୀ ଏହି କୋଣାର୍କ ଚକ୍ର ପ୍ରଚ୍ଛଦପଟ୍ଟରେ ଛିଡା ହୋଇ ବିଶ୍ବ ନେତାଙ୍କୁ ସ୍ବାଗତ କରିଛନ୍ତି । ଏଥିସହ ଅତିଥିଙ୍କୁ ସ୍ବାଗତ ସମୟରେ ଗୌରବମୟ କୋଣାର୍କ ଚକ୍ରର ମହତ୍ତ୍ବ ବୁଝାଇଛନ୍ତି । ଯାହାକି ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନିଶ୍ଚୟ ।
ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ଏକ୍ସ'ରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି । କୋଣାର୍କ ଚକ୍ର ସ୍ବାଗତର ପ୍ରତିବିମ୍ବ ହେବା ଖୁସିର ବିଷୟ । ସମସ୍ତ ଭାରତୀୟ ବିଶେଷଭାରେ ଆମ ଓଡିଆ ଭାଇ ଭଉଣୀଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଭାରତର ସଭ୍ୟତା, ସଂସ୍କୃତି, ସ୍ଥାପତ୍ୟ ଓ ଉତ୍କର୍ଷତାର ପ୍ରତୀକ କୋଣାର୍କ ଚକ୍ର ନିରନ୍ତରତା ଓ ପ୍ରଗତିର ପ୍ରତିଫଳକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
13 ଶହ ଶତାବ୍ଦୀରେ ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ବାରା କୋଣାର୍କ ଚକ୍ର ନିର୍ମିତ ହୋଇଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିରର ମୂଳରେ ୧୨ଟି ଚକ ରହିଛି । ଏହି ଚକ୍ରରେ ୨୪ଟି ଅର ଅଛି । ଏହି ଚକଗୁଡିକର ଅର ସୂର୍ଯ୍ୟଘଡିର କାମ କରିଥାଏ । ଅରମାନଙ୍କ ଛାଇରୁ ସଠିକ୍ ସମୟ ବାରି ହୁଏ । କୋଣାର୍କର ସୂର୍ଯ୍ୟ ମନ୍ଦିର ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟର ଅନ୍ୟତମ ନିଦର୍ଶନ । କିଛି ଦିନ ତଳେ ଦେଶର ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା ଆମେରିକା ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ରର ପ୍ରତିକୃତି ଉନ୍ମୋଚନ କରିଥିଲେ ।