ନୂଆଦିଲ୍ଲୀ:ଆଫଗାନିସ୍ତାନକୁ ଚତୁର୍ଥ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଲା ଭାରତ । ଏହି ସହାୟତା ପ୍ୟାକେଜ ମଧ୍ୟରେ ୩ ଟନ ମେଡିକାଲ ସାମଗ୍ରୀ ରହିଛି । ଗୃହଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ମାନବୀୟ ସହାୟତା ପ୍ରଦାନ ଚୁକ୍ତି ଅନୁସାରେ ଏହି ସାମଗ୍ରୀ ପଠାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପକ୍ଷରୁ କୁହାଯାଇଛି ।
ପୂର୍ବ ପର୍ଯ୍ୟାୟଗୁଡିକ ପରି ଚଳିତ ଥର ଏହି ସହାୟତା ପ୍ୟାକେଜ ମଧ୍ୟ କାବୁଲସ୍ଥିତ ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ପରେ ବିଭିନ୍ନ ସାମାଜିକ ସଂଗଠନ ସହାୟତାରେ ଏହି ସାମଗ୍ରୀ ଆଫଗାନିସ୍ତାନର ଆବଶ୍ୟକ ଲୋକଙ୍କ ମଧ୍ୟରେ ବିତରଣ ହେବା ନେଇ ଯୋଜନା ରହିଥିବା ବୈଦେଶିକ ମନ୍ତ୍ରଣାଳୟ ତାର ବିଜ୍ଞପ୍ତିରେ କହିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଗୃହଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ସାଧାରଣ ଲୋକେ ସଙ୍କଟମୟ ସ୍ଥିତିରେ ରହିଛନ୍ତି । ତେଣୁ ଆଗାମୀ ଦିନରେ ମଧ୍ୟ ଭାରତ ପକ୍ଷରୁ ଅତ୍ୟାବଶକୀୟ ତଥା ମାନବୀୟ ସହାୟତା ସାମଗ୍ରୀ ପ୍ରେରଣ ପ୍ରକ୍ରିୟା ଜାରି ରହିବ ।