ଓଡିଶା

odisha

ETV Bharat / bharat

କାନାଡାକୁ ଆଶିଂକ ଭିସା ସେବା ଆରମ୍ଭ କଲା ଭାରତ, ଜାଣନ୍ତୁ କେଉଁ ବର୍ଗରେ ମିଳିବ ଭିସା - କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ଖଲିସ୍ତାନୀ ବିବାଦ ପରେ ବନ୍ଦ ଥିବା ଭିସା ସେବାକୁ ଆଶିଂକ ପୁନଃଆରମ୍ଭ କଲା ଭାରତ । ନିର୍ଦ୍ଧିଷ୍ଟ ବର୍ଗରେ ମିଳିବ ଭିସା । ଜାଣନ୍ତୁ କେଉଁ ବର୍ଗରେ ଭାରତକୁ ଭିସା ପାଇବେ କାନାଡୀୟ....

India resumes visa services in Canada
India resumes visa services in Canada

By ETV Bharat Odisha Team

Published : Oct 25, 2023, 8:37 PM IST

ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲାରେ ଭାରତ କାନାଡା ତିକ୍ତତା ପରେ ଭାରତ କାନାଡାକୁ ଭିସା ସେବା ବନ୍ଦ କରିଥିଲା । ତେବେ ଆଜି ଭାରତ କାନାଡା ପାଇଁ କିଛି ନିର୍ଦ୍ଧିଷ୍ଟ ବର୍ଗରେ ଭିସା ସେବା ପୁନଃ ଆରମ୍ଭ କରିଛି । ପୂର୍ବ ପରି ସମସ୍ତ ବର୍ଗ ନୁହେଁ ବରଂ କିଛି ନିର୍ଦ୍ଦିଷ୍ଟ ବର୍ଗ ଏହି ନିଷ୍ପତ୍ତି ଅନୁସାରେ, ଭାରତକୁ ଭିସା ପାଇବେ । କାନାଡାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଏଣ୍ଟ୍ରିଂ ଭିସା, ବିଜିନେସ ଭିସା, ମେଡିକାଲ ଓ କନଫରେନ୍ସ ଭିସା ବର୍ଗରେ ଏବେ କାନାଡା ନାଗରିକ ଭାରତକୁ ଭିସା ଅନୁମତି ପାଇବେ । ଆସନ୍ତାକାଲିଠାରୁ ଏହି ସେବା ଆଶିଂକ ଭାବେ କାର୍ଯ୍ୟକ୍ଷମ ହେବ । ସେହିପରି ସ୍ଥିତି ସମୀକ୍ଷା ଓ ସେଥିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ କହିଛି ।

ଗତମାସରେ ଜି20 ସମ୍ମିଳନୀରେ ଯୋଗଦେବାକୁ ଆସି ଭାରତରୁ ଫେରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏହି ସାଙ୍ଘାତିକ ବୟାନ ଆସିଥିଲା । ଜୁନ ମାସରେ କାନାଡାରେ ହତ୍ୟାର ଶିକାର ହୋଇଥିବା ଖଲିସ୍ତାନୀ ଆତଙ୍କୀ ନିଜ୍ଜାରର ହତ୍ୟାରେ ଭାରତୀୟ ଗୁଇନ୍ଦା ସଂସ୍ଥାର ଭୂମିକା ଥିବା ଅଭିଯୋଗ କରିଥିଲେ ନିଜେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ । ଯାହାକୁ ନେଇ ନୂଆଦିଲ୍ଲୀ କଡା ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା । ଦିଲ୍ଲୀରେ ଅବସ୍ଥାପିତ କାନାଡା ଦୂତାବାସରୁ କୂଟନୀତିଜ୍ଞ ଅଧିକାରୀଙ୍କୁ ସ୍ବଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏବେ ସୁଦ୍ଧା କାନାଡା ପ୍ରାୟ 40ରୁ ଅଧିକ କୂଟନୈତିଜ୍ଞ ଅଧିକାରୀଙ୍କୁ ଭାରତରୁ ଫେରାଇ ନେଇସାରିଛି । ସେବେଠାରୁ ଭାରତ କାନାଡା ପାଇଁ ଭିସା ସେବା ମଧ୍ୟ ବନ୍ଦ ରଖିଥିଲା ।

ନିକଟରେ ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । କହିଥିଲେ ସ୍ଥିତି ଉପରେ ନଜର ରଖାଯାଇଛି । ସେଠାରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କ ସୁରକ୍ଷାରେ ସୁଧାର ଆସିଲେ ନୂଆଦିଲ୍ଲୀ ଭିସା ସେବା ପୁନଃ ଆରମ୍ଭ କରିବା କଥା ଚିନ୍ତା କରିପାରେ । ଆଜି ଏହାରି ମଧ୍ୟରେ ଭିସା ସେବା ଆଂଶିକ ଭାବେ ଆରମ୍ଭ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- କାହିଁକି କାନାଡା କୂଟନୀତିଜ୍ଞଙ୍କୁ ବରଖାସ୍ତ କଲା ଭାରତ, କାରଣ କହିଲେ ଜୟଶଙ୍କର

ତେବେ ଏବେ ସୁଦ୍ଧା ମଧ୍ୟ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ପୂର୍ବପରି ସ୍ବାଭାବିକ ହୋଇପାରିନାହିଁ । ଅନ୍ୟପଟେ କାନାଡାର ଅଭିଯୋଗ ନେଇ ନୂଆଦିଲ୍ଲୀ ବାରମ୍ବାର ପ୍ରମାଣ ମାଗୁଥିବା ବେଳେ ଟରାଣ୍ଟୋ କୌଣସି ପ୍ରମାଣ ପ୍ରଦାନ କରିବାକୁ ପ୍ରସ୍ତୁତ ନାହିଁ । ତେଣୁ ଏହି ଅଭିଯୋଗକୁ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଓ ମିଥ୍ୟା ବୋଲି ନୂଆଦିଲ୍ଲୀ କହିଛି । କାନାଡା ପ୍ରଧାନମନ୍ତ୍ରୀଙ୍କ ସିଧା ଅଭିଯୋଗ ପରେ ଦେଶ ବାହାରେ ସକ୍ରିୟ ଥିବା ଖଲିସ୍ତାନୀ ଆତଙ୍କୀ ଗୋଷ୍ଠୀମାନେ ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟ ବଢାଇବାରେ ଲାଗିଛନ୍ତି ।

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details