ନୂଆଦିଲ୍ଲୀ:ଦେଶରେ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ସହ ତାଳ ଦେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 602 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 5 ଜଣ ମୁଣ୍ଡ ନେଇଛି କୋରୋନା ମହାମାରୀ । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା 4ହଜାର 440ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି, ଗତକାଲି ଦେଶରେ 573 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ପଡିଟିଭ ହାର ବୃଦ୍ଧି ପାଇଥିବା ବେଳ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା 602 ଜଣ ସଂକ୍ରମିତଙ୍କ ମଧ୍ୟରୁ 148 ଜଣ କର୍ଣ୍ଣାଟକର ହୋଇଥିବା କୁହାଯାଇଛି । ଅନ୍ୟପଟେ ଆଜି 5 ଜଣ କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ ସେଥିରୁ ମଧ୍ୟ ଜଣେ କର୍ଣ୍ଣାଟକର ହୋଇଥିବା ତଥ୍ୟରେ ପ୍ରକାଶିତ ହୋଇଛି । ବିଜୟ ନଗରର 45 ବର୍ଷୀୟ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା କୁହାଯାଇଛି । ଗତ 24 ଘଣ୍ଟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 5,33,371ରେ ପହଞ୍ଚିଛି ।
ସୂଚନା ଅନୁସାରେ, ଏବେ ସୁଦ୍ଧା ଦେଶରେ ମୋଟ 312 ଜଣ କୋରୋନାର ସବ ଭାରିଆଣ୍ଟ ଜେଏନ 1 ମାମଲା ରିପୋର୍ଟ ହୋଇଛି । ତେବେ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କେବଳ କେରଳର ରହିଛନ୍ତି । ପ୍ରାୟ 47 ପ୍ରତିଶତ କେରଳର ହୋଇଥିବା ନେଇ ସରକାରୀ ତଥ୍ୟରେ ପ୍ରକାଶିତ ହୋଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମୋଟ 10 ସ୍ଥାନକୁ ମାଡିଛି ଜେଏନ 1 ଭାରିଆଣ୍ଟ ।
ଏହା ମଧ୍ୟ ପଢନ୍ତୁ: ଦେଶରେ 24 ଘଣ୍ଟାରେ 573 ନୂଆ କୋଭିଡ ସଂକ୍ରମଣ, 2 ମୃତ
ଗତ ଏକ ମାସ ହେବ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି କେରଳ ଏବଂ ଗୋଆରେ ମାଡି ଚାଲିଛି ଜେଏନ 1 । ବର୍ତ୍ତମାନ ସୁଦ୍ଧା କେରଳରୁ 133 ଜଣ ଜେଏନ 1 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଆରୁ 21 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ, ମହାମାରୀ ଆରମ୍ଭରୁ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4.4 କୋଟିରୁ ଅଧିକ । ଏହି ସଂଖ୍ୟା ସହ ଦେଶରେ ସାମଗ୍ରିକ ସୁସ୍ଥ ହାର 98.81 ପ୍ରତିଶତ ରହିଛି । ୱେବସାଇଟ୍ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 220.67 କୋଟି ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇସାରିଛି ।