ନୂଆଦିଲ୍ଲୀ:ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଏବେ ୬ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୫ହଜାର ୮୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା ୭ ହଜାର ୧୭୧ ରହିଥିଲା । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୪୯ ହଜାର ୦୧୫ରେ ପହଞ୍ଚିଛି ।
ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ଆଜି କମିଛି । ଦିନକରେ ୧୬ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ୨୫ ରହିଥିଲା । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୫୩୩କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୈନିକ ପଜିଟିଭ ହାର ୩.୩୧ ରହିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୪୯ ହଜାର ୦୧୫ ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ମୃତ୍ୟୁବରଣ କରିଥିବା ୧୬ଜଣଙ୍କ ମଧ୍ୟରୁ ୯ ଜଣ କେରଳର ବୋଲି ଜଣାପଡିଛି । ଦିନକରେ ଆଉ ୮ହଜାର ୧୪୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୬୪,୮୪୧କୁ ବୃଦ୍ଧି ପାଇଛି ।