ହାଇଦ୍ରାବାଦ:ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତ କିଛି ଦିନ ହେବ 500 ଉପରେ ରହୁଛି ଦୈନିକ ସଂକ୍ରମଣ । ତେବେ ସଂକ୍ରମିତଙ୍କ ସଂଖ୍ୟା କମ୍ ହେଉଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁ ନାହିଁ । ଗତ 24 ଘଣ୍ଟାରେ ଦେଶରେ 475 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 6ଜଣଙ୍କ ମୁଣ୍ଡ ନେଇଛି କୋରୋନା ମହାମାରୀ । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା 3ହଜାର 919ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଜିଟିଭ ହାର ବୃଦ୍ଧି ପାଇଥିବା ବେଳ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, ମୃତକ 6 ଜଣ କର୍ଣ୍ଣାଟକ, ଛତିଶଗଡ ଏବଂ ଆସାମର ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତକାଲି (ସୋମବାର) ମଧ୍ୟ 4ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। 2020 ମସିହାଠାରୁ ଆଜି ପର୍ଯ୍ୟନ୍ତ ଦେଶରେ ମୋଟ 45019214ଜଣ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 533402କୁ ବୃଦ୍ଧି ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 61 ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଅନ୍ୟପଟେ 24 ଘଣ୍ଟା ମଧ୍ୟରେ 70 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ମହାରାଷ୍ଟ୍ରରେ କରୋନା ସୁସ୍ଥତା ହାର 98.17 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସୋମବାର ଦିନ ସର୍ବମୋଟ 2728ଟି କୋଭିଡ ଟେଷ୍ଟ କରାଯାଇଥିବା ବେଳେ ପଜିଟିଭି ହାର 2.23 ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା କୋଭିଡର ନୂଆ ସବ ଭାରିଆଣ୍ଟ୍ ଜେଏନ 1ରେ ସର୍ବମୋଟ 250 ଜଣ ଆକ୍ରାନ୍ତ ହୋଇଛନ୍ତି ।