ଓଡିଶା

odisha

ETV Bharat / bharat

Azadi ka Amrit Mahotsav: ଭାରତୀୟ ବୈଜ୍ଞାନିକଙ୍କ ଗୌରବାନ୍ୱିତ ଗବେଷଣା, ମନେପକାଉଛି ଭାରତ

ବିଜ୍ଞାନର ସହାୟତା ନେଇ ସୃଷ୍ଟିର ରହସ୍ୟଭେଦ କରିବା ସମ୍ଭବ ହୋଇଛି । ଆମ ଜୀବନରେ ବିଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଜ୍ଞାନର ଉପଲବ୍ଧି ବୁଝାଇଥିବା ଏଭଳି କିଛି ଭାରତୀୟ ବୈଜ୍ଞାନିକଙ୍କୁ ଆଜି ଭାରତ ମନେ ପକାଉଛି । ଅଧିକ ପଢ଼଼ନ୍ତୁ

Azadi ka Amrit Mahotsav: ଭାରତୀୟ ବୈଜ୍ଞାନିକଙ୍କ ଗୌରବାନ୍ବିତ ଗବେଷଣା, ମନେ ପକାଉଛି ଭାରତ
Azadi ka Amrit Mahotsav: ଭାରତୀୟ ବୈଜ୍ଞାନିକଙ୍କ ଗୌରବାନ୍ବିତ ଗବେଷଣା, ମନେ ପକାଉଛି ଭାରତ

By

Published : Aug 9, 2022, 7:57 PM IST

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ । ୧୯୪୭ରୁ ସ୍ବାଧୀନ ହେବାପରେ ଭାରତ ଅନେକ ପରିବର୍ତ୍ତନ ଦେଖିଛି । ଶିକ୍ଷା, ସ୍ବାସ୍ଥ୍ୟ, ଜୀବନଶୈଳୀ ଆଦି ଉନ୍ନତ ହୋଇଛି । ଏସବୁ ସମ୍ଭବ ହେବା ପଛରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲା ବିଜ୍ଞାନ । ଏହି ବିଜ୍ଞାନ ହିଁ ଆଜି ସାରା ବିଶ୍ବବାସୀ ଜୀବନକୁ ଅତି ସହଜ ଓ ସରଳ କରିଛି । ଆଜି ଆମେ ଯାହା ବି ଦେଖୁଛେ ତାହା ପଛରେ ରହିଛି ବିଜ୍ଞାନ ତେବେ ଆମେ କେବଳ ଆଜି ଭାରତୀୟ ବୈଜ୍ଞାନିକଙ୍କ କଥା କହିବା । ଯେଉଁମାନେ ନିଜ ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣା ଦ୍ବାରା ବିଶ୍ବରେ ଭାରତ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଆଜି ସେମାନେ ନାହାନ୍ତି ସତ, କିନ୍ତୁ ସେମାନଙ୍କ ଗବେଷଣାରୁ ବିକଶିତ ବସ୍ତୁବିଶେଷ ବା ଫର୍ମୁଲାକୁ ଆଜି ସାରା ବିଶ୍ବବାସୀଙ୍କ ଜୀବନକୁ ସହଜ କରିଛି । ଆଜି ଏଭଳି ହିଁ କିଛି ଭାରତୀୟ ବୈଜ୍ଞାନିକଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ...



ଡକ୍ଟର ଏପିଜେ ଅବ୍‌ଦୁଲ କାଲାମ
ରକେଟ୍‌ ବୈଜ୍ଞାନିକ ରୂପରେ ଏପିଜେ ଅବଦୁଲ କାଲାମ ଭାରତବର୍ଷରେ ଜନ୍ମ ନେଇ ଏହି ଦେଶକୁ ଗୌରବାନ୍ବିତ କରିଛନ୍ତି । ସାରା ବିଶ୍ବ ପାଇଁ ସେ ମିଶାଇଲ୍‌ ମ୍ୟାନ୍‌ ନାମରେ ପରିଚିତ । ସେ କହିଥିବା ପ୍ରତ୍ୟେକ କଥା ବିଶ୍ବ ପାଇଁ ଏକ ଶିକ୍ଷା । ବୈଜ୍ଞାନିକରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ତାଙ୍କ ରାସ୍ତା ସଂଘର୍ଷମୟ ଥିଲା । ୧୯୩୧ ଅକ୍ଟୋବର ୧୫ ତାମିଲନାଡ଼ୁ ରାମେଶ୍ବରମରେ ଜଣେ ଧୀବରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ କରିଥିଲେ ଭାରତର ମିଶାଇଲ ମ୍ୟାନ୍‌ ଡକ୍ଟର ଏପିଜେ ଅବୁଦ୍‌ଲ କାଲାମ ।

ବାପା ଜଣେ ନୌଚାଳକ ଥିଲେ । ରାମେଶ୍ବରମ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କୁ ସେ ନଦୀ ପାର୍‌ କରାଇ ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ପରିବାର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ କାଲାମ ମାତ୍ର ୧୦ ବର୍ଷ ବୟସରେ ହିଁ ପେପର ବିକ୍ରି କରିବା ଆରମ୍ଭ କରି ଦେଇଥିଲେ । ୧୯୫୫ରେ ମାଡ୍ରାସ୍‌ ଏରୋସ୍ପେସ୍‌ ଇଞ୍ଜିନିୟରିଂ କଲେଜ୍‌ରେ ନାମ ଲେଖାଇଥିଲେ । ଏହି ସମୟରେ ତାଙ୍କୁ ଏକ ଲୋ ଲେବେଲ ଆଟାକ୍‌ ଏୟାରକ୍ରାଫ୍ଟ ତିଆରି କରିବାକୁ ପ୍ରୋଜେକ୍ଟ ଦିଆଯାଇଥିଲା । ତେବେ ଏହି ଏୟାରକ୍ରାଫ୍ଟ ଡିଜାଇନ୍‌ କଲେଜ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ । ବରଂ ୩ ଦିନରେ ଆଉ ପ୍ରୋଜେକ୍ଟ ତିଆରି କରିବାକୁ କହିଥିଲେ । ୩୦ ଦିନର କାମକୁ ତିନି ମଧ୍ୟରେ ପୂରା କରି ଦେଖାଇଥିଲେ ଡକ୍ଟର ଏପିଜେ ଅବଦୁଲ୍‌ କାଲାମ । ସେ ସବୁବେଳେ ନୂଆ ଚ୍ୟାଲେଞ୍ଜ ସହ କିଛି ଶିଖିବାକୁ ପସନ୍ଦ କରୁଥିଲେ ।

ଇଞ୍ଜିନିୟରିଂ ଶେଷ କରିବା ପରେ ଇଣ୍ଡିଆନ୍‌ ଏୟାରଫୋର୍ସ ଏକାଡେମୀରେ ଚାକିରି କରିବାକୁ ଯାଇ ଫେଲ୍‌ ମାରିଥିଲେ କାଲାମ । ଏହାପରେ ୧୯୫୮ରେ ସେ DRDO(ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ)ରେ ଚାକିରି ଜୀବନ ଆରମ୍ଭ କଲେ । ଏଠାରେ କିଛି ବର୍ଷ କାମ କରିବା ପରେ ତାଙ୍କୁ ବିକ୍ରମ ସାରାଭାଇଙ୍କ INCOSPARକୁ ପ୍ରମୋସନ୍‌ରେ ନିଆଗଲା । ସେଠାରେ ଭାରତର ପ୍ରଥମ ରକେଟ ତିଆରି କରିବା ତାଙ୍କ ପ୍ରଥମ ମିଶନ ଥିଲା । ଏହି ରକେଟକୁ ଲଞ୍ଚ୍‌ପ୍ୟାଡ୍‌ ପର୍ଯ୍ୟନ୍ତ ନେବାକୁ ତାଙ୍କ ପାଖରେ ସାଧନ ନଥିଲା । ଏଥିପାଇଁ ରକେଟର ସମସ୍ତ ପାର୍ଟ୍‌କୁ ଶଗଡ଼ ଓ ସାଇକେଲ୍‌ ନେବାକୁ ସ୍ଥିର କରିଥିଲେ । ଶେଷରେ୧୯୬୩ ନଭେମ୍ବର ୨୧ ତାରିଖରେ ଏହି ରକେଟ୍‌କୁ ଉତ୍‌କ୍ଷେପଣ କରି ଭାରତୀୟ ମହାକାଶ ବିଜ୍ଞାନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ କାଲାମ ।

୧୯୬୯ରେ ସାଟେଲାଇଟ୍‌ ଲଞ୍ଚ୍‌ ଭିକିଲ୍‌(SALV)ର ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିଲେ କାଲାମ । ୧୯୭୯ ଅଗଷ୍ଟ ମାସରେ ଏହି ଲଞ୍ଚ୍‌ ଭିକିଲ୍‌ ପରୀକ୍ଷଣ ବେଳେ ଫେଲ୍‌ ମାରିଥିଲା । ଏହାର ଠିକ୍‌ ଏକ ବର୍ଷ ପରେ ପୁନଃ ସେ ସାଟେଲାଇଟ୍‌ ଲଞ୍ଚ୍‌ ଭିକିଲ୍‌-୩(SALV) ବିକଶିତ କରି ପରୀକ୍ଷଣ କରିଥିଲେ । ଏହାଦ୍ବାରା ରୋହିଣୀ-୧ ସାଟେଲାଇଟ୍‌ ଲଞ୍ଚ୍‌ କରାଯାଇଥିଲା, ଯାହା ସଫଳ ହୋଇଥିଲା । ଏହାପରେ ସେ ଅଗ୍ନି ଓ ପୃଥିବୀ ଭଳି ଅନେକ ବାଲେଷ୍ଟିକ୍‌ ମିଶାଇଲ୍‌ ତିଆରି କରି ସଫଳ ହୋଇଥିଲେ । ଏଥିପାଇଁ ସେ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ପୋଖରଣ-୨ ପରୀକ୍ଷଣ ପାଇଁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତ CIA ସାଟାଲାଇଟ୍‌କୁ ଚକ୍‌ମା ଦେଇ ଭାରତ ନ୍ୟୁକ୍ଲିୟର ବମ୍‌ ଟେଷ୍ଟ କରିଥିଲା । ଏହି ପ୍ରୋଗ୍ରାମ୍‌ର ଚିଫ୍‌ କୋଡିନେଟର ଥିଲେ ଡକ୍ଟର ଏପିଜେ ଅବଦୁଲ୍‌ କାଲାମ ।

୧୯୯୯ରେ DRDOରୁ ଅବସର ନେବାପରେ ତାଙ୍କୁ ରାଷ୍ଟ୍ରପତି ହେବାର ସୁଯୋଗ ମିଳିଲା । ୨୦୦୧ରେ ତାଙ୍କୁ ତତ୍କାଳନୀ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ରାଷ୍ଟ୍ରପତି ହେବାକୁ ପ୍ରସ୍ତାବ ଦେଇଥିଲେ । ଶେଷରେ ଜୁଲାଇ ୨୫ ତାରିଖ ୨୦୦୨ରେ ସେ ଦେଶର ଏକାଦଶତମ ରାଷ୍ଟ୍ରପତି ହୋଇତିଲେ । ୨୦୨୦ ସୁଦ୍ଧା ଭାରତକୁ ସମୃଦ୍ଧ କରିବା ସ୍ବପ୍ନ ଦେଖିଥିଲେ ଏପିଜେ ଅବଦୁଲ୍‌ କାଲାମ । ଶିକ୍ଷାଦାନ ପ୍ରତି କାଲାମଙ୍କ ଅହେତୁକ ଦୁର୍ବଳତା ଥିଲା । ୨୭ ଜୁଲାଇ ୨୦୧୫ରେ ସେ ଯେତେବେଳ ହାର୍ଟ ଆଟାକ୍‌ର ଶିକାର ହେଲେ ସେତେବେଳେ ମଧ୍ୟ ସେ ଶିଲଙ୍ଗ୍‌ର ଏକ ମ୍ୟାନେଜମେଣ୍ଟ୍‌ କଲେଜର ପାଠ ପଢ଼ାଉଥିଲେ । ଏହି ଦିନ ମିଶାଇଲ୍‌ ମ୍ୟାନ୍‌ ଶେଷ ନିଃଶ୍ବାସ ତ୍ୟାଗ କରି ଚିର ଦିନ ପାଇଁ ଅମର ହୋଇଥିଲେ ।

ନୋବେଲ୍‌ ବିଜେତା ସିଭି ରମଣ
ସାରା ବିଶ୍ବରେ ସେ ନୋବେଲ ବିଜେତା ସିଭି ରମଣ ନାମରେ ପରିଚିତ । ତାଙ୍କ ପୁରା ନାମ ଥିଲା ଚନ୍ଦ୍ରଶେଖର ଭେଙ୍କଟ ରମଣ । ୧୮୮୮ ମସିହା ନଭେମ୍ବର ୭ ତାରିଖରେ ସେ ତାମିଲନାଡ଼ୁର ତିରୁଚିରାପାଲ୍ଲିରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଚନ୍ଦ୍ରଶେଖର ଆୟର ଏସ୍‌ପିଜି କଲେଜରେ ଭୌତିକ ବିଜ୍ଞାନର ଅଧ୍ୟାପକ ଥିଲେ । ୧୮୯୨ରେ ସିଭି ରମଣ ତାଙ୍କ ବାପାଙ୍କ ସହ ବିଶାଖାପାଟନମ୍‌କୁ ଚାଲି ଆସିଥିଲେ । ସେଠାରେ ନିଜ ସ୍କୁଲ୍‌ପଢ଼ା ଆରମ୍ଭ କରିଥିଲେ । ପିଲାଟି ଦିନରୁ ହିଁ ମେଧାବୀ ଛାତ୍ର ଥିଲେ ସିଭି ରମଣ । ମାତ୍ର ୧୧ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ପାସ୍‌ କରିଥିଲେ । ଏହାପରେ ୧୩ ବର୍ଷ ବୟସରେ ସେ ସ୍କୋଲାରସିପ୍‌ ସହ ଯୁକ୍ତ ୨ ପାସ୍‌ କରିଥିଲେ । ୧୯୦୪ରେ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏମ୍‌.ଏ ପାସ୍‌ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଏହାପରେ ୧୯୦୭ରେ ଏମ୍‌.ଏସ୍‌ସି ଶେଷ କରିଥିଲେ ।

ସିଭି ରମଣ ଜଣେ ବୈଜ୍ଞାନିକ ହେବାକୁ ଚାହୁଁଥିଲେ । ଉଚିତ୍‌ ସାଧନ ନମିଳିବାରୁ ଭାରତୀୟ ବିତ୍ତ ବିଭାଗରେ ସେ ଜଣେ ଆକାଉଣ୍ଟାଣ୍ଟ୍‌ ଭାବେ କାର୍ଯ୍ୟ ଆରମ୍ଭ କଲେ । ଏହି ସମୟରେ ସେ IACSର ଏକ ବିଜ୍ଞାପନ ଦେଖିଲେ, ଯେଉଁଥିରେ ବୈଜ୍ଞାନିକ ପ୍ରୟୋଗ ପାଇଁ ସେ ଅନୁମତି ପ୍ରାପ୍ତ କରିବା ସୁବିଧା ଦେଇଥିଲେ ସରକାର । ତାହା ହାସଲ କରିଥିଲେ ସିଭି ରମଣ । ନାଗପୁର ବଦଳି ହେବାପରେ ଘରେ ହିଁ ପ୍ରୟୋଗଶାଳା ଖୋଲି ଦେଇଥିଲେ ସିଭି ରମଣ । ତତ୍କାଳୀନ କଲିକତା ଆସିବା ପରେ ସେ ଧ୍ବନି ଓ ଏହାର କମ୍ପନ କାର୍ଯ୍ୟ ଉପରେ ଗବେଷଣା କରିଥିଲେ । ୧୯୧୭ରେ କଲିକତାରେ ଭୌତିକ ବିଜ୍ଞାନ ଅଧ୍ୟାପକ ପଦ ପାଇଁ ସରକାରୀ ଚାକିରି ଛାଡ଼ି ଦେଇଥିଲେ ସିଭି ରମଣ ।

ଏହାପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଅକ୍ସଫୋର୍ଡ ୟୁନିଭରସିଟିକୁ ଯାଇଥିଲେ । ସେଠାରେ ସେଣ୍ଟ ପାଉଲ୍‌ କ୍ୟାଥେଡ୍ରାଲ୍‌ ଚର୍ଚ୍ଚର ରହସ୍ୟ ଖୋଜିବାରେ ଲାଗିପଡ଼ିଥିଲେ ସିଭି ରମଣ । କଲିକତା ଫେରି ସେ ବିଭିନ୍ନ ବସ୍ତୁ ଦ୍ବାରା କିରଣ ଆସିବାକୁ ନେଇ ଗବେଷଣା କରିଥିଲେ । ୭ ବର୍ଷ ପରେ ଏହି ଗବେଷଣା ଶେଷ କରିଥିଲେ । ଏହାରି ମଧ୍ୟରେ ୧୯୩୦ ମସିହାରେ ଭୌତିକ ବିଜ୍ଞାନରେ ତାଙ୍କ ଗବେଷଣା ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହାପରେ ୧୯୪୮ରେ Spectroscopic behaviour of crystals ଉପରେ ଗବେଷଣା କରି ସଫଳ ହୋଇଥିଲେ । ଏକ ବର୍ଷ ପରେ ସେ ଅବସର ନେବା ସହ ବେଙ୍ଗାଲୁରୁରେ ରମଣ ରିସର୍ଚ୍ଚ ସେଣ୍ଟରର ସ୍ଥାପନା କରିଥିଲେ । ୧୯୫୪ରେ ତାଙ୍କୁ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାପରେ 1957ରେ ସେ ଲେଲିନ ଶାନ୍ତି ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ୧୯୭୦ ମସିହା ନଭେମ୍ବର ୨୧ ତାରିଖରେ ହାର୍ଟ ଆଟାକ୍‌ ଯୋଗୁଁ ତାଙ୍କ ଦେହାନ୍ତ ହୋଇଥିଲା ।

ଅନୀଲ କାକୋଡକର୍‌
ଭାରତରେ ପରମାଣୁ ଶକ୍ତି ସମୃଦ୍ଧ କରିବାରେ ବୈଜ୍ଞାନିକ ଅନୀଲ କାକୋଡକର୍‌ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ୧୯୪୩ ମସିହା ନଭେମ୍ବର ୧୧ ତାରିଖରେ ମଧ୍ୟ ପ୍ରଦେଶର ବରୱାନୀରେ ସେ ଜନ୍ମ ଗ୍ରହଣ କରିଥିଲେ । ଅନୀଲ କାକୋଡକର୍‌ Atomic Energy Commission of Indiaର ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ । ଜଣେ ନ୍ୟୁକ୍ଲିୟର ଭୌତିକ ବିଜ୍ଞାନୀ ଓ ମେକାନିକାଲ୍‌ ଇଞ୍ଜିନିୟର ଭାବେ କର୍ମ ଜୀବନ ଆରମ୍ଭ କରିଥିଲେ ।

୨୦୦୬ରୁ ୨୦୧୫ ଯାଏଁ ସେ IIT ବମ୍ବେର ନିର୍ଦ୍ଦେଶକ ରହିଥିଲେ । ତା ସହିତ ସେ ନ୍ୟାସ ଇଞ୍ଜିନିୟରିଂ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ପୋଖରନ୍‌-୨ ପରୀକ୍ଷଣ ସମୟରେ ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଥିଲେ ଅନୀଲ ଅନୀଲ କାକୋଡକର୍‌ । କାଲାମ୍‌ଙ୍କ ସହ ଅନୀଲ କାକୋଡକର୍‌ଙ୍କ ପୋଖରଣ-୨ ପରୀକ୍ଷଣରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ୧୯୭୪ରୁ ଲଗାତାର ଭାବେ ଭାରତୀୟ ନ୍ୟୁକ୍ଲିୟର ଶକ୍ତି ପରୀକ୍ଷଣରେ ସାମିଲ ରହୁଥିଲେ । Atomic Energy Commission ଦାୟିତ୍ବରେ ରହି ସେ ଅନେକ ଭାରତୀୟ ପରମାଣୁ ଶକ୍ତି ସମୃଦ୍ଧ କରିବା ସ୍ବପ୍ନ ନେଇ ସଫଳତା ହାସଲ କରିଛନ୍ତି ।

ହୋମି ଜାହାଙ୍ଗିର ଭାଭା
ଆଜି ଭାରତ ପରମାଣୁ ଶକ୍ତି ସହିତ ରାଷ୍ଟ୍ର ମଧ୍ୟରେ ପରିଗଣିତ ହେଉଛି । ଏହା କେବଳ ଭାରତୀୟ ପରମାଣୁ ବୈଜ୍ଞାନିକ ହୋମି ଜାହାଙ୍ଗିର ଭାଭାଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି । ୧୯୦୯ ଅକ୍ଟୋବର ୩୦ ତାରିଖରେ ମୁମ୍ବାଇର ଏକ ପାର୍ସି ପରିବାରର ଜନ୍ମ ଗ୍ରହଣ କରିଥିଲେ ହୋମି ଜାହାଙ୍ଗିର ଭାଭା । ବାପା ଜଣେ ଜଣାଶୁଣା ଓକିଲ ଥିଲେ । ପିଲା ଦିନେ ତାଙ୍କୁ ଖୁବ୍‌ କମ୍‌ ନିଦ ହେଉଥିଲା । ଏଥିପାଇଁ ସେ ପୁସ୍ତକ ପଢ଼ିବା ପ୍ରତି ମନ ବଳାଇଥିଲେ । ଏଥିପାଇଁ ତାଙ୍କ ବାପା ଘରେ ହିଁ ଏକ ପୁସ୍ତକାଳୟ ଖୋଲି ଦେଇଥିଲେ । ଏଥିରେ ଅଧିକାଂଶ ବିଜ୍ଞାନ ପୁସ୍ତକ ରହୁଥିଲା । ଭୌତିକ ବିଜ୍ଞାନ ଓ ଗଣିତରେ ଅଧିକ ରୁଚି ରଖୁଥିଲେ ଜାହାଙ୍ଗିର ଭାଭା ।

ମୁମ୍ବାଇରେ ଯୁକ୍ତ ଦୁଇ ଶେଷ କରିବା ପରେ ସେ ୧୯୨୭ରେ ଇଂଲଣ୍ଡ ଚାଲି ଯାଇଥିଲେ । ସେଠାର ୧୯୩୪ ପର୍ଯ୍ୟନ୍ତ ପଢ଼ି ସେ PHd ଲାଭ କରିଥିଲେ । ଭାଭା ହିଁ ଭାରତରେ ପରମାଣୁ ଉର୍ଜାର ପରିକଳ୍ପନା କରିଥିଲେ । କିଛି ବୈଜ୍ଞାନିକଙ୍କୁ ନେଇ ସେ ମାର୍ଚ୍ଚ ୧୯୪୪ରେ ନ୍ୟୁକ୍ଲିୟର ଶକ୍ତି ଉପେ ଗବେଷଣା ଆରମ୍ଭ କରିଥିଲେ । ୧୯୪୮ରେ ସେ Atomic Energy Commissionର ସ୍ଥାପନା କରିଥିଲେ । ଏହି କ୍ରମରେ ସେ ଅନ୍ତର୍ଜାତୀୟ ପରମାଣୁ ମଞ୍ଚରେ ଭାରତର ପ୍ରତିନିଧିତ୍ବ କଲେ । ଜଣେ ବୈଜ୍ଞାନିକ ସହ ସଙ୍ଗୀତ ମୂର୍ତ୍ତିକଳା, ନୃତ୍ୟକଳା ଓ ଚିତ୍ରକଳାରେ ବି ରୁଚି ରଖୁଥିଲେ ।

୧୯୫୫ରେ ଜେନେଭାରେ ଏକ ସମ୍ମିଳନୀରେ ଭାଗ ନେବାକୁ ନିମନ୍ତ୍ରଣ ମିଳିଥିଲା । ସେଠାରେ ତାଙ୍କ ବିଚାରକୁ ଶୁଣି କାନାଡା ସରକାର ଭାରତକୁ ପରମାଣୁ ରିଏକ୍ଟର ପାଇଁ କରିବାକୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ହିଁ ସାଇରସ୍‌ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହି କ୍ରମରେ ୧୯୫୬ରେ ନ୍ୟୁକ୍ଲିୟର ପାୱାର ରିଏକ୍ଟର କାର୍ଯ୍ୟ ଆରମ୍ଭ ହେଲା । ୧୯୬୦ରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଭାଭାଙ୍କ ପ୍ରୟାସ୍‌ରେ ରାଜସ୍ଥାନରେ ରାଣା ପ୍ରତାପ ସାଗର ଡ୍ୟାମ୍‌ ଓ ତାମିଲନାଡ଼ୁରେ ବି ପରମାଣୁ ଉର୍ଜା ଗବେଷଣା କେନ୍ଦ୍ର ଆରମ୍ଭ କରିଥିଲେ । ଏଥିପାଇଁ ମହଙ୍ଗା ୟୁରାନିୟମ ବଦଳରେ ଭାରତରେ ଉପଲବ୍ଧ ଥୋରିୟମ ପ୍ରତି ଧ୍ୟାନ କେନ୍ଦ୍ରିତ କରିଥିଲେ ଭାଭା ।

ନିଜର ବୈଜ୍ଞାନିକ ଯାଦୁଗରୀ ପାଇଁ ହୋମି ଜାହାଙ୍ଗିର ଭାବଙ୍କୁ ୧୯୪୧ରେ Fellow of the royal society, 1943ରେ ଆଦାମ୍‌ସ୍‌ ପ୍ରାଇଜ୍‌, ୧୯୪୮ରେ ହୋପକିନ୍ସ ସମ୍ମାନ ଓ ୧୯୫୪ରେ ପଦ୍ମ ଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୬୬ ମସିହା ଜାନୁଆରୀ ୨୪ ତାରିଖରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା । ହୋମିଙ୍କ ଆହ୍ବାନରେ ହୋମି ନୋସିରୱାନଜୀ ସେଠ୍‌ନା ଭାରତ ଫେରିଥିଲେ । ଯିଏ ହୋମି ଭାଭାଙ୍କ ମୃତ୍ୟୁ ପରେ ତାଙ୍କ ଅଧୁରା ପ୍ରଜେକ୍ଟକୁ ଆଗକୁ ବଢ଼ାଇଥିଲେ । ୧୯୭୪ରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ପରମାଣୁ ଶକ୍ତି ପରୀକ୍ଷଣ କରି ପାରିଥିଲା ।

ଭେଙ୍କଟରମଣ ରାମକ୍ରୀଷ୍ଣନ
ଜଣେ ଭାରତୀୟ ଜୀବବିଜ୍ଞାନୀ ହେଉଛନ୍ତି ଭେଙ୍କଟରମଣ ରାମକ୍ରୀଷ୍ଣନ । DNA କୋଡ୍‌କୁ କିଭଳି ଭାବରେ ଜୀବନରେ ବଦଳାଇ ହେବ ତାହା ଗବେଷଣା କରି ସଫଳ ହୋଇଥିଲେ ଭେଙ୍କଟରମଣ ରାମକ୍ରୀଷ୍ଣନ । ଏଥିପାଇଁ ୨୦୦୯ରେ ସେ ନୋବେଲ୍‌ ପ୍ରାଇଜ୍‌ରେ ସମ୍ମାନିତ ହୋଇଥିଲେ । ରାଇବୋଜମର ଗଠନ ଏବଂ କାର୍ଯ୍ୟ ସମ୍ପର୍କରେ ସେ ଅତି ସହଜ ଓ ସରଳ ଭାଷାରେ ବୁଝାଇବାରେ ସକ୍ଷମ ହୋଇଥିଲେ ।

ଏଥିପାଇଁ ୨୦୧୦ରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୁଷଣରେ ସମ୍ମାନିତ କରିଥିଲେ । ତାଙ୍କ ଗବେଷଣାରୁ ରାଇବୋଜମ୍‌ର ସଂରଚନାର ବିଷୟରେ ଜାଣିହୁଏ । ବର୍ତ୍ତମାନ ସେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଜଣେ ଜୀବବିଜ୍ଞାନୀ ଭାବେ ଗବେଷଣା କରୁଛନ୍ତି ।

ବିକ୍ରମ ସାରାଭାଇ
ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ସଫଳତା ଆଜି ସାରାବିଶ୍ବରେ ପ୍ରଶଂସିତ । ମହାନ ଭାରତୀୟ ବୈଜ୍ଞାନିକ ଡକ୍ଟର ବିକ୍ରମ ସାରାଭାଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ISRO)ର ପ୍ରତିଷ୍ଠା କରିଥିଲେ । ତାଙ୍କରି ପରିଶ୍ରମ ବଳରେ ଭାରତୁ ଏପିଜେ ଅବଦୁଲ କାଲାମଙ୍କ ଭଳି ଅନେକ ବୈଜ୍ଞାନିକ ମିଳି ପାରିଛନ୍ତି । ୧୯୧୯ ଅଗଷ୍ଟ ୧୨ ତାରିଖରେ ବିକ୍ରମ ସାରା ଭାଇ ଜନ୍ମ ଗ୍ରହଣ କରିଥିଲେ ।

ପିଲାଟି ଦିନରୁ ହିଁ ସେ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ । କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ବିଜ୍ଞାନ ସହ ସମ୍ବନ୍ଧିତ ବହୁ ଉପାଧୀ ହାସଲ କରିଥିଲେ । ଏହାପରେ ସେ ଭାରତ ଫେରି ସିଭି ରମଣଙ୍କ ସହ ଅନେକ ଗବେଷଣା ଆରମ୍ଭ କରିଥିଲେ । ୧୯୪୮ରେ ସେ Physics Research Laboratoryର ସ୍ଥାପନା କରିଥିଲେ । ଏହିଭଳି ଭାବରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆରମ୍ଭ ହୋଇଥିଲା । ଅନ୍ୟ ବିକଶିତ ଦେଶ ଭଳି ଭାରତରୁ ମଧ୍ୟ ସାଟେଲାଇଟ ଉତକ୍ଷେପଣ କରିବା ତାଙ୍କ ସ୍ବପ୍ନ ଥିଲା । ଏହାକୁ ଖୋଦ୍‌ କାଲାମ ଅନେକ ସମୟରେ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । ସାରାଭାଇଙ୍କ ଏହି ଅବଦାନ ଯୋଗୁଁ ୧୯୬୬ ଓ ୧୯୭୨ରେ ପଦ୍ମଭୁଷଣ ଓ ମରଣତ୍ତୋର ପଦ୍ମବିଭୁଷଣ ସମ୍ମାନର ସମ୍ମାନିତ କରାଯାଇଥିଲା । ୧୯୭୧ ମସିହା ଡିସେମ୍ବର ୨୦ ତାରିଖରେ ତାଙ୍କ ଦେହାନ୍ତ ହୋଇଥିଲା ।

ABOUT THE AUTHOR

...view details