ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍ । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ । ଏହାକୁ ମିଶାଇ ଦେଶରେ ଆକ୍ଟିଭ ସଂଖ୍ୟା ୪୦ ହଜାର ୨୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୬ ହଜାରରୁ କମ୍ ସଂକ୍ରମଣ ମାମଲା ପ୍ରକାଶ ପାଇଥିଲା ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ କୋରୋନା ଆକ୍ଟିଭ କେସ୍ ହାର ୦.୯୦ ପ୍ରତିଶତ ରହିଛି । ସେହିପରି ସୁସ୍ଥହାର ୯୮.୭୨ ପ୍ରତିଶତ ଅଛି । ଦେଶରେ ଗତ ୨୪ ଘଣ୍ଟାରେ ୪,୬୯୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥସଂଖ୍ୟା ଦେଶରେ ୪,୪୨,୦୪,୭୭୧ରେ ପହଞ୍ଚିଛି । ଦେଶରେ ଦୈନିକ କୋରୋନା ପଜିଟିଭ ରେଟ୍ ୩.୬୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପିଜିଟିଭ ରେଟ ୩.୮୩ ପ୍ରତିଶତ ରହିଛି । କୋରୋନା ଆରମ୍ଭରୁ ଏଯାବତ୍ ଭାରତରେ ୯୨.୩୨ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ ୨,୧୪,୨୪୨ଟି ଟେଷ୍ଟ ହୋଇଛି ।