ନୂଆଦିଲ୍ଲୀ:ସୀମା ଅତିକ୍ରମ ଅଭିଯୋଗରେ ଗିରଫ ହୋଇ ଉଭୟ ଦେଶରେ ବନ୍ଦୀ ଥିବା ଥିବା ମତ୍ସ୍ୟଜୀବୀ ଓ ଅନ୍ୟ ସାଧାରଣ ବନ୍ଦୀଙ୍କ ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ କରିଛନ୍ତି ଭାରତ ଓ ପାକିସ୍ତାନ । ଉଭୟ ଦିଲ୍ଲୀ ଓ ଇସଲାମାବାଦରେ ଏହି ପ୍ରକ୍ରିୟା ଶେଷ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ।
2008 ରେ ଦୁଇଦେଶ ମଧ୍ୟରେ ହୋଇଥିବା କନସୁଲାର ଆକ୍ସେସ ଚୁକ୍ତିନାମା ଅନୁସାରେ, ଜାନୁଆରୀ ପହିଲା ଓ ଜୁଲାଇ ପହିଲାରେ ଉଭୟ ଦେଶ ସେମାନଙ୍କ ନିକଟରେ ଥିବା ପ୍ରତିପକ୍ଷ ଦେଶର ବନ୍ଦୀଙ୍କ ସଂଖ୍ୟା ଓ ଅନ୍ୟ ତଥ୍ୟ ପରସ୍ପର ସହ ଆଦାନ ପ୍ରଦାନ କରିଥାନ୍ତି । ପରେ ଏନେଇ ବନ୍ଦୀମାନଙ୍କୁ ମୁକ୍ତ କରାଯିବା ଓ ନିଜ ଦେଶକୁ ପ୍ରତ୍ୟର୍ପଣ କରିବା ନେଇ ଦ୍ବିପାକ୍ଷିକ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ଆଜିର ତଥ୍ଯ ଅନୁସାରେ, ଭାରତ ପକ୍ଷରୁ 343 ସଧାରଣ ପାକିସ୍ତାନୀ ନାଗରିକ ଓ 74 ଜଣ ପାକିସ୍ତନୀ ମତ୍ସ୍ୟଜୀବୀ ରହିଥିବା କୁହାଯାଇଛି । ପାକିସ୍ତାନର ତଥ୍ୟ ଅନୁସାରେ, 42 ସାଧାରଣ ଭାରତୀୟ ବନ୍ଦୀ ଓ 266 ଜଣ ମତ୍ସ୍ୟଜୀବୀ ପାକିସ୍ତାନୀ ଜେଲରେ ରହିଛନ୍ତି ।
ତେବେ ପାକିସ୍ତାନରେ ଗିରଫ ହେବା ପରେ ଜେଲରେ ରହି ସଜ୍ଜା କାଟି ସାରିଥିବା 254 ଭାରତୀୟ ମତ୍ସ୍ୟଜୀବୀ ଓ ଅନ୍ୟ 4 ସାଧାରଣ ନାଗରିକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦକୁ କୁହାଯାଇଛି । ପାକିସ୍ତାନ କଷ୍ଟଡିରେ ଥିବା ଅବଶିଷ୍ଟ 12 ମତ୍ସ୍ୟଜୀବୀ ଓ 14 ସାଧାରଣ ବନ୍ଦୀଙ୍କୁ ନ୍ୟାୟିକ ସୁଯୋଗ ଦେବା ପାଇଁ ମଧ୍ୟ କହିଛି ଭାରତ । ସେଠାରେ ଥିବା ଭାରତୀୟ ବନ୍ଦୀଙ୍କୁ ଜେଲରେ ସୁରକ୍ଷା, ନିରାପତ୍ତା ଓ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ପାକିସ୍ତାନକୁ ଭାରତ ପକ୍ଷରୁ କୁହାଯାଇଛି । ସେହିପରି ଭାରତୀୟ ଜେଲରେ ପାକିସ୍ତାନୀ ନାଗରିକ ଭାବେ ଚିହ୍ନଟ ହୋଇସାରିଥିବା 62 ବନ୍ଦୀଙ୍କୁ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରାଯାଇ ପାକିସ୍ତାନକୁ ହସ୍ତାନ୍ତର କରାଯିବା ନେଇ ନୂଆଦିଲ୍ଲୀ ଇସଲାମାବାଦକୁ ଆଶ୍ବସନା ଦେଇଛି ।