ନୂଆଦିଲ୍ଲୀ:ବର୍ତ୍ତମାନ ଭାରତ-ଋଷ ମଧ୍ୟରେ ଭଲ ନାହିଁକି ଦ୍ବିପାକ୍ଷିକ ସମ୍ପର୍କ । ପୁରୁଣା ବନ୍ଧୁ ଏବେ ଦୂର ସମ୍ପର୍କୀୟ କି ? ପୁଟିନ-ମୋଦି ଯୋଡି ନିବିଡତାରେ ପଡିଛି କି ଫାଟ ? ଏମିତି ଅନେକ ପ୍ରଶ୍ନ ଏବେ ନୂଆଦିଲ୍ଲୀରୁ ମସ୍କୋ ପର୍ଯ୍ୟନ୍ତ ହେଉଛି ଚର୍ଚ୍ଚା । ଏଭଳି ଚର୍ଚ୍ଚା ଏଥିପାଇଁ ହେଉଛି ରୁଷିଆ ଡାକିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାରତକୁ ନିମନ୍ତ୍ରଣ ନକରିବା ।
ସମ୍ପ୍ରତ୍ତି ଆଫଗାନିସ୍ତାନ ସ୍ଥିତିକୁ ନେଇ ଋଷ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି । ଆଉ ବୈଠକରେ ଯୋଗ ଦେବାପାଇଁ ଆମେରିକା, ଚୀନ ଓ ପାକିସ୍ତାନକୁ ନିମନ୍ତ୍ରଣ ଦେଇଛି । କିନ୍ତୁ ଭାରତକୁ ନିମନ୍ତ୍ରଣ ହୋଇନାହିଁ । କର୍ତାର ବୈଠକ ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାର ନାଁ ରହିଛି ‘ବିସ୍ତାରିତ ଟ୍ରୋଇକା’ ।
ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାର୍ପଣ ପରେ ଦେଶର ସ୍ଥିତି ସଂଗୀନ ହୋଇପଡିଛି । ଏହାକୁ ନେଇ ରୁଷିଆ ଆସନ୍ତା ୧୧ ତାରିଖରେ କର୍ତାର ରାଜଧାନୀ ଦୋହାରେ ‘ବିସ୍ତାରିତ ଟ୍ରୋଇକା’ ବୈଠକ ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ରୁଷିଆ ୧୮ ମାର୍ଚ୍ଚରେ ଓ ୩୦ ଏପ୍ରିଲରେ ମଧ୍ୟ ବୈଠକ କରିଥିଲା । ରଷିଆ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମସ୍କୋ ଫର୍ମାଟ ପ୍ରୟୋଗ କରୁଛି ।