ନୂଆଦିଲ୍ଲୀ: ଆଫଗାନିସ୍ତାନରେ କେଉଁ ଶୈଳିରେ ତାଲିବାନ ସରକାର ପ୍ରତିଷ୍ଠା ହେବ ସେ ସମ୍ପର୍କିତ ତଥ୍ୟ ଭାରତ ପାଇଁ ଗୁରୁତ୍ବ ବହନ କରେନି । ଏନେଇ ତାଲିବାନ-ଭାରତ ମଧ୍ୟରେ କୌଣସି ଆଲୋଚନାରେ ହୋଇନାହିଁ । ଭାରତ ପାଖରେ ଏନେଇ କୌଣସି ସଦ୍ୟତମ ସୂଚନା ନାହିଁ। ତାଲିବାନ ଶାସନଧୀନ ଆଫଗାନିସ୍ତାରେ ବର୍ତ୍ତମାନ ସୁଦ୍ଧା ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ବେଦେଶ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ପ୍ରାଥମିକତା ଦେଉଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ଏପରି ସ୍ପଷ୍ଟୀକରଣ ରଖିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ।
ବାଗଚୀ କହିଛନ୍ତି, ଆଫଗାନିସ୍ତାନରେ ବର୍ତ୍ତମାନ ରହିଯାଇଥିବା ଭାରତୀୟଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ତାଲିବାନ ଓ ଭାରତ ମଧ୍ୟରେ ପ୍ରଥମିକ କଥାବାର୍ତ୍ତା ହୋଇଛି । କତାର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଓ ତାଲିବାନ ପ୍ରତିନିଧି ମହମ୍ମଦ ଆବାସ ଷ୍ଟାନିକଜାଏଙ୍କ ମଧ୍ୟରେ ଆଲୋଚନା ହୋଇଛି । କିନ୍ତୁ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା କେମିତି ଚାଲିଛି ଓ ସେଠାରେ ତାଲିବାନ ଗଠନ କରିବାକୁ ଯାଉଥିବା ସରକାରର ରୂପରେଖ କିପରି ହେବ ସେ ନେଇ କୌଣସି ଆଲୋଚନା ହୋଇନାହିଁ । ଭାରତ ପାଖରେ ସେ ସମ୍ପର୍କିତ କୌଣସି ତଥ୍ୟ ନ ଥିବାବେଳେ ଭାରତ ତାର ନିଜସ୍ବ ମିଶନ କାର୍ଯ୍ୟକାରୀ ଦିଗରେ ପ୍ରକ୍ରିୟା ଜାରି ରଖିଛି ।