ନୂଆଦିଲ୍ଲୀ/କାଠମାଣ୍ଡୁ :72 ଘଣ୍ଟା ପାଇଁ ଭାରତ ନେପାଳ ସୀମା ସିଲ । ପଡୋଶୀ ନେପାଳରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ (Nepal Election 2022) ପାଇଁ ଭାରତ-ନେପାଳ ଅନ୍ତର୍ଜାତୀୟ ସୀମା 72 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଦୁଇ ଦେଶର ବରିଷ୍ଠ ସେନାଧିକାରୀ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବା ପରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ମଧ୍ୟରାତ୍ରୀରୁ ଏହି ନିୟମ ଲାଗୁ ହେବ । ବିହାର ଓ ଉତ୍ତର ପ୍ରଦେଶ ନେପାଳର ସୀମାକୁ ସ୍ପର୍ଶ କରିଛି ।
ଦୁଇ ଦେଶ ଅନ୍ତର୍ଜାତୀୟ ସୀମା ମଧ୍ୟରେ ଏକାଧିକ ପୋଷ୍ଟରେ ଉଭୟ ଦେଶର ନାଗରିକ ବିନା କଟକଣାରେ ଯାତାୟତ ମଧ୍ୟ କରିଥାନ୍ତି । ଏଥିପାଇଁ ଅନ୍ୟ ଅନ୍ତର୍ଜାତୀୟ କଟକଣା କିମ୍ବା ପାସପୋର୍ଟ ପରି ପ୍ରମାଣପତ୍ରର ଆବଶ୍ୟକତା ନଥାଏ । ନିର୍ବାଚନକୁ ଦୃଷ୍ଚିରେ ରଖି ଏହାକୁ ଆଗମୀ ତିନି ଦିନ ଅର୍ଥାତ 72 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ । ତେବେ ଉଭୟ ପକ୍ଷର ମିଳିତ ସହମତିରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆଜି ମଧ୍ୟରାତ୍ରୀରୁ ଏହି ନିୟମ ଲାଗୁ ହେବ । ସମସ୍ତ ପୋଷ୍ଟ କିମ୍ବା ସଂଯୋଗ କରୁଥିବା ରାସ୍ତାରେ ଉଭୟ ଦେଶର ସୁରକ୍ଷାବଳ ନାକା ଲଗାଇବା ସହ ପାଟ୍ରୋଲିଂ ମଧ୍ୟ କରିବେ ।