ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁରରେ ସ୍ଥିତି ସମୀକ୍ଷା କରି ଫେରିଥିବା ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ପ୍ରତିନିଧି ଟିମ ରାଷ୍ଟ୍ରପତିଙ୍କୁ ଭେଟିବ । ଆସନ୍ତାକାଲି (ବୁଧବାର) ଏହି ଟିମ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହ ସ୍ଥିତି ନେଇ ଅବଗତ କରିବ ବୋଲି ସୂଚନା ମିଳିଛି । ଆଜି ଏନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି ସୂଚନା ଦେଇଛନ୍ତି । ଜୟରାମ କହଛନ୍ତି,‘‘29 ଓ 30 ତାରିଖରେ ମଣିପୁର ଗସ୍ତ କରିଥିବା ମେଣ୍ଟର 21 ଜଣିଆ ପ୍ରତିନିଧି ଟିମ ଅଗଷ୍ଟ 2 ତାରିଖରେ ପୂର୍ବାହ୍ନରେ ସାଢେ 11ରେ ରାଷ୍ଟ୍ରପତିଙ୍କୁ ଭେଟିବ । ଏହି ପ୍ରତିନିଧି ଟିମ ସହ ମେଣ୍ଟ ସହଯୋଗୀ ଦଳର ଫ୍ଲୋର ଲିଡରମାନେ ମଧ୍ୟ ସାମିଲ ରହିବେ ।’’
ଗତମାସ 29 ଓ 30 ତାରିଖରେ ଦୁଇଦିନିଆ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିଥିଲେ ନବଗଠିତ ‘ଇଣ୍ଡିଆ’ ମେଣ୍ଟର 21ଜଣିଆ ପ୍ରତିନିଧି ମଣ୍ଡଳୀ । ସେମାନେ ଏକାଧିକ ରିଲିଫ କ୍ୟାମ୍ପ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ । ଗସ୍ତର ଦ୍ବିତୀୟ ତଥା ଅନ୍ତିମ ଦିନ (ରବିବାର) ଏହି ଟିମ ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରିଥିଲା । ଏହି ଟିମ୍ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ନେଇ ଆଲୋଚନା କରିବା ସହ ରାଜ୍ୟପାଳ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅବଗତ କରନ୍ତୁ ବୋଲି ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ ।