ହାଇଦ୍ରାବାଦ:ଜି20 ସମ୍ମିଳନୀର ପ୍ରଥମ ଦିବସରେ ଘୋଷଣା ହୋଇଥିବା ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡରକୁ ସ୍ବାଗତ କରିଛି ହ୍ବାଇଟ ହାଉସ । ଆଜି (ଶନିବାର) ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ପକ୍ଷରୁ ଏହି ଅର୍ଥନୈତିକ କରିଡରର ଶୁଭାରମ୍ଭକୁ ସ୍ୱାଗତ କରାଯାଇଛି ଏବଂ ଏହା ଏକ ନୂତନ ଯୁଗର ସଂଯୋଗ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କୁହାଯାଇଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ବିବୃତ୍ତିରେ ହ୍ବାଇଟ ହାଉସ କହିଛି, ‘‘ଆଜି ଆମେରିକା, ଭାରତ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ୟୁରୋପୀୟ ୟୁନିଅନର ନେତାମାନେ ଏକ ନୂତନ ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପର ଅର୍ଥନୈତିକ କରିଡର ଘୋଷଣା କରିଛନ୍ତି । ଏହି ସବୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଏକ ସ୍ମାରକପତ୍ର ଘୋଷଣା କରାଯାଇଛି । ଏହା ଯୋଗାଯୋଗର ଏକ ନୂତନ ଯୁଗର ଆରମ୍ଭ ।’’
ଆଜି ସମ୍ମିଳନୀରେ ପ୍ରଥମ ତଥା ଉଦଘାଟନୀ ଦିବସରେ ଅର୍ନ୍ତମହାଦେଶୀୟ ମହାଦେଶୀୟ ଯୋଗାଯୋଗ କ୍ଷେତ୍ରରେ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସହ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପୀୟ ଦେଶଙ୍କୁ ରେଳ ଓ ଜଳପଥରେ ସିଧା ସଂଯୋଗ କରାଯିବ । ଏହାର ନାମ ରଖାଯାଇଛି ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର । ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଅନ୍ୟ ବିଶ୍ବନେତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଓ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଆମେରିକା ରାଷ୍ଟ୍ରପତି ବାଇଡେନ ଏହାକୁ ଐତିହାସିକ ବୋଲି ଦର୍ଶାଇଥିଲେ ।