ନୂଆଦିଲ୍ଲୀ:ଜାରି ରହିଥିବା ଜି20 ସମ୍ମିଳନୀରେ ଅର୍ନ୍ତମହାଦେଶୀୟ ମହାଦେଶୀୟ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସହ ରେଳ ଓ ଜଳପଥରେ ସିଧା ଯୋଡି ହେବ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ । ଘୋଷଣା ହୋଇଛି ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର । ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଅନ୍ୟ ବିଶ୍ବନେତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି ।
ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି ଆମେ ସମସ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ସହଭାଗିତାରେ ପହଞ୍ଚି ସାରିଛୁ । ମାନବ ସଭ୍ୟତାର ବିକାଶ ପାଇଁ ସୁଦୃଢ ଯୋଗାଯୋଗ ଭିତ୍ତିଭୂମି ପ୍ରମୁଖ୍ଯ ଆଧାର । ଭାରତ ଏହି ପ୍ରସଙ୍ଗକୁ ପ୍ରାଥମିକତାର ସହ ବିଚାର କରିଆସିଛି । ଆମେ ବିଶ୍ୱାସ କରୁ ଯେ ବିଭିନ୍ନ ଦେଶ ମଧ୍ୟରେ ଯୋଗାଯୋଗରେ ସୁଦୃଢୀକରଣ କେବଳ ପାରସ୍ପରିକ ବାଣିଜ୍ୟରେ ଉନ୍ନତି ଆଣିବ ତାହା ନୁହେଁ ବରଂ ପରସ୍ପର ମଧ୍ଯରେ ଆତ୍ମବିଶ୍ୱାସ ମଧ୍ୟ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଆଗାମୀ ଦିନରେ ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ଅର୍ଥନୈତିକ ଐକିକରଣ ପାଇଁ ଏହି ସଂଯୋଗୀକରଣ କରିଡର ନୂତନ ମାଧ୍ୟମ ଭାବେ ସାମ୍ନାକୁ ଆସିବାକୁ ଯାଉଛି ।’’