ନୂଆଦିଲ୍ଲୀ:ନିକଟରେ ଭାରତ ଅଧ୍ୟକ୍ଷତାରେ ଶେଷ ହୋଇଥିବା ଜି20 ସମ୍ମିଳନୀ ବୈଠକର ଏକ ପ୍ରମୁଖ ବୈଶ୍ବିକ ଅର୍ଥନୈତିକ ନିଷ୍ପତ୍ତି ଥିଲା ଭାରତ-ମଧ୍ୟପ୍ରାଚ୍ୟ- ପୂର୍ବ ୟୁରୋପ କନେକ୍ଟିଭିଟି କରିଡର ପ୍ରକଳ୍ପ । ଏହି ଅର୍ଥନୈତିକ କରିଡର ଭାରତ ଏବଂ ସହଭାଗୀ ଦେଶମାନଙ୍କ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ତେବେ ଏହି ବୃହତ୍ତ ଅର୍ଥନୈତିକ ପ୍ରକଳ୍ପ ନିଷ୍ପତ୍ତି 2024 ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭୋଟ୍ ବ୍ୟାଙ୍କରେ ପରିଣତ ହେବ କି ? ସେମିତି ଏକ ଅନୁମାନ ମଧ୍ୟ ସାମ୍ନାକୁ ଆସିଲାଣି ।
କାରଣ ଆସନ୍ତାବର୍ଷ (2024)ରେ ଉଭୟ ଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ବହୁଦେଶୀୟ ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ଚୀନର ଅର୍ଥନୈତିକ ଆଧିପତ୍ୟ ହ୍ରାସ ପାଇବ । ପଶ୍ଚିମ ରାଷ୍ଟ୍ରସମୂହଙ୍କ ପାଇଁ ଭାରତ ଅର୍ଥନୀତିରେ ଚୀନର ବିକଳ୍ପ ହେବା ସହ ଗ୍ଲାବାଲ ସାଉଥର ସ୍ବର ଭାବେ ସାମ୍ନାକୁ ଆସିବ । ଏହାରି ମଧ୍ୟରେ ଏହାକୁ ବାଇଡେନ ଓ ମୋଦିଙ୍କ ବଡ ସଫଳତା ବୋଲି ମଧ୍ୟ କୁହାଯାଉଛି । ଯାହା ବିଶ୍ବସ୍ତରରେ ଉଭୟଙ୍କ ଭାବମୂର୍ତ୍ତି ଉଜ୍ଜଳ କରିଛି । ତେଣୁ ଉଭୟ ନିଜ ଦେଶର ନିର୍ବାଚନରେ ଏହି ପ୍ରକଳ୍ପର ସଫଳତାର ଶ୍ରେୟ ଭୋଟ ଆକାରରେ ପାଇପାରନ୍ତି ।
2013 ମସିହାରେ ଚୀନ୍ ବଡର ରୋଡ ଇନିସିଏଟିଭ୍ (BRI) ନାମରେ ବୃହତ୍ତ ଅର୍ଥନୈତିକ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ସଦସ୍ୟ ଦେଶମାନଙ୍କରେ ବେଜିଂ ତାର ଆର୍ଥିକ ପଦଚିହ୍ନ ଛାଡିବାକୁ ଯୋଜନା ରଖିଥିଲା । ଦକ୍ଷିଣ ଏସିଆରେ ପ୍ରମୁଖ ରାଷ୍ଟ୍ର ଭାରତ BRIର ଏକ ଅଂଶ ନୁହେଁ । ତେବେ ଚୀନ ଆରମ୍ଭ କରିଥିବା ଏହି ପ୍ରକଳ୍ପ ଆସନ୍ତାବର୍ଷ 10 ବର୍ଷ ପୂରଣ କରିବା ପୂର୍ବରୁ ଭାରତ ପ୍ରୟାସରେ ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର (IMEEC) ଆରମ୍ଭ କରିବାକୁ ଜି20 ରାଷ୍ଟ୍ରସମୂହ ସହମତ ହୋଇଛନ୍ତି । ଯାହା ଚୀନର ଆଧିପତ୍ୟ ହ୍ରାସ କରିବାରେ ଏକ ବଡ ସଫଳତା ।
ଏହି ପ୍ରକଳ୍ପ ଭାରତକୁ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପୀୟ ଦେଶମାନଙ୍କ ସହ ଉଭୟ ଜଳପଥ ଓ ରେଳପଥ ଦ୍ବାରା ସଂଯୋଗ କରିବ । ଏହା ଏକ ଅନ୍ତର୍ଜାତୀୟ ବାଣିଜ୍ୟପଥ ଭାବେ କାର୍ଯ୍ୟ କରିବ । ପ୍ରକଳ୍ପ ମାଧ୍ୟମରେ ଭାରତ, ସାଉଦି ଆରବିଆ ଭାୟା ଦେଇ ୟୁରୋପ ମଧ୍ୟରେ ବାଧାମୁକ୍ତ ବାଣିଜ୍ୟ କରାଯାଇ ପାରିବ । ଜି20 ସମ୍ମିଳନୀର ଦ୍ବିତୀୟ ଦିନରେ ଆମେରିକା, ପଶ୍ଚିିମ ଏସିଆ ଓ ୟୁରୋପୀୟ ୟୁନିୟନର ଦେଶମାନେ ଏହି ରାଜିନାମାରେ ଏକମତ ହୋଇଛନ୍ତି । ଏହି ଚୁକ୍ତିନାମା ଚୀନ୍ର BRI ପ୍ରକଳ୍ପର ଆର୍ଥିକ ଆଧିପତ୍ୟକୁ ପ୍ରତିହତ କରିବା ସହ ଏହି ଅଞ୍ଚଳରେ ପାକିସ୍ତାନର ଭୌଗୋଳିକ ଏବଂ ରଣନୈତିକ ପ୍ରାଧାନ୍ୟକୁ ମଧ୍ୟ ହ୍ରାସ କରିବ । ଭାରତକୁ କେନ୍ଦ୍ର-ଏସିଆ ସହିତ ସଂଯୋଗ କରିବା ପାଇଁ ପାକିସ୍ତାନକୁ ଅତିକ୍ରମ କରିବାର ଆବଶ୍ୟକତା ପଡୁଥିଲା । ତେବେ ବିଭାଜନ ପରେ ଏପର୍ଯ୍ୟନ୍ତ ଏହା ପ୍ରୟାସ ପ୍ରାୟତଃ ସମ୍ଭବପର ହୋଇନାହିଁ । କାରଣ ଦୁଇ ଦେଶର ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏହା କେବେ ହେଲେ ମଧ୍ୟ ସମ୍ବବପର ହେଲା ପରି ମଧ୍ୟ ମନେ ହେଉନଥିଲା ।
ତେବେ ଏହି IMEEC ପ୍ରକଳ୍ପର କାର୍ଯ୍ୟକାରିତା ପରେ ଏସିଆ ଓ ୟୁରୋପ ସିଧା ସଂଯୋଗ ହେବ । ଭାରତର ବିଶ୍ବ ବାଣିଜ୍ୟ ଦିଗରେ ମଧ୍ୟ ପାକିସ୍ତାନର ଭୂମିକା କୌଣସି ପ୍ରସଙ୍ଗିକତା ରଖିବ ନାହିଁ । ଚୀନ ଦ୍ବାରା କରାଯାଇଥିବା CPSC (ଚୀନ-ପାକିସ୍ତାନ ଇକୋନୋମିକ୍ କରିଡର) ପାକିସ୍ତାନ ଅଧିକୃତ ଗିଲଗିଟ ଓ ବେଲୁଚିସ୍ତାନ ମଧ୍ୟ ଦେଇ କାର୍ଯ୍ୟକାରୀ ହୋଇପାରୁନାହିଁ । କାରଣ ବିଚ୍ଛିନ୍ନତାବାଦୀମାନେ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । ଏହି ପ୍ରକଳ୍ପର ଅଗ୍ରଗତି ହୋଇନପାରିବା କାରଣରୁ ଆଗକୁ ଚୀନ ଓ ପାକିସ୍ତାନ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ମଧ୍ଯ ବିଗାଡି ପାରେ ବୋଲି ଅନୁମାନ କରାଯାଉଛି ।