ନୂଆଦିଲ୍ଲୀ: ନ୍ୟାସନାଲ କଂଗ୍ରେସ ପାର୍ଟି (NCP) ମୁଖ୍ୟ ଶରଦ ପାୱାର ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଶରଦ ଖଡ଼ଗେଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରିବା ପରେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେପଟେ ଇଣ୍ଡିଆ ମେଣ୍ଟ ସମସ୍ତ ଆହ୍ବାନକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ଅଛି ଏବଂ ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚିତ ଶାସନ ଭାର ଗ୍ରହଣ କରିବ ବୋଲି ଖଡ଼ଗେ ଏକ୍ସ(X)ରେ ସୂଚନା ଦେଇଛନ୍ତି ।
ବୈଠକ ପରେ ଏନସିପି ସୁପ୍ରିମୋ ଶରଦ ଏକ୍ସରେ ଲେଖିଛନ୍ତି," INC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ବାସଭବନରେ ଭେଟିଛି । ଏହି ସମୟରେ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଏନସିପି ବିଧାୟକ ଜିତେନ୍ଦ୍ର ଆୱହାଦ ଓ ଗୁରୁଦୀପ ସାପଲ ଉପସ୍ଥିତ ଥିଲେ ।" ସେପଟେ ଖଡ଼ଗେ ମଧ୍ୟ ଏହି ବୈଠକ ନେଇ ଏକ୍ସରେ ସୂଚନା ଦେଇ କହିଛନ୍ତି, " ବିଭିନ୍ନ ସମସ୍ୟା ନେଇ ଦେଶବାସୀଙ୍କ ସ୍ବର ଉତ୍ତୋଳନ କରିବା ଦିଗରେ ଆଜି ରାହୁଲ ଗାନ୍ଧୀଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ଆଲୋଚନା ହୋଇଛି । ଆମେ ସମସ୍ତ ଚ୍ୟାଲେଞ୍ଜ ଲାଗି ପ୍ରସ୍ତୁତ । ଇଣ୍ଡିଆ ଆମ ସହ ଯୋଡ଼ି ହେବ ଏବଂ 'ଇଣ୍ଡିଆ' ଜିତିବ ମଧ୍ୟ ।"
ଏହା ବି ପଢନ୍ତୁ- କୌଣସି ବି ପରିସ୍ଥିତିରେ ଇଣ୍ଡିଆ ମେଣ୍ଟ ଭାଙ୍ଗିବ ନାହିଁ ଆପ୍: କେଜ୍ରିୱାଲ