ନୂଆଦିଲ୍ଲୀ: ପ୍ରତିରକ୍ଷା ଖର୍ଚ୍ଚ ଅର୍ଥାତ୍ ସାମରିକ ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ବିଶ୍ବରେ ତୃତୀୟ । ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ଖର୍ଚ୍ଚରେ ବିଶ୍ବରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ଦ୍ବିତୀୟ ସ୍ଥାନରେ ରହିଛି । ଏଥିସହ ଆମେରିକା ବିଶ୍ବରେ ପ୍ରତିରକ୍ଷା ଶକ୍ତି ବୃଦ୍ଧି କ୍ଷେତ୍ରରେ ସର୍ବାଧିକ ୨.୧ ଟ୍ରିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିବା ବେଳେ ଭାରତ ୭୬.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ତୃତୀୟ ସ୍ଥାନରେ ରହିଛି ।
ଏପଟେ କୋଭିଡ ମହାମାରୀ ସମୟରେ ମଧ୍ୟ ଏହି ସବୁ ରାଷ୍ଟ୍ର ପ୍ରତିରକ୍ଷା କ୍ଷେତ୍ରରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । ତେବେ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିର୍ସଚ୍ଚ ଇନଷ୍ଟିଚ୍ୟୁଟ୍ ( Stockholm International Peace Research Institute) ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ପ୍ରକାଶିତ ରିପୋର୍ଟରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ବ୍ରିଟେନ-୪ର୍ଥ ଏବଂ ଋଷିଆ ପଞ୍ଚମ ସ୍ଥାନରେ ରହିଛନ୍ତି ।
ଏଥିସହ ବିଶ୍ବରେ ସମୁଦାୟ ପ୍ରତିରକ୍ଷା ଖର୍ଚ୍ଚର ୬୨ ପ୍ରତିଶତ ଏହି ପାଞ୍ଚ ରାଷ୍ଟ୍ର ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହିତ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିର୍ସଚ୍ଚ ଇନଷ୍ଟିଚ୍ୟୁଟ( Stockholm International Peace Research Institute) ପକ୍ଷରୁ କୁହାଯାଇଛି ଯେ, ଭାରତ ୭୬.୬ ବିଲିୟନ ଡଲାର ୨୦୨୧ରେ ଖର୍ଚ୍ଚ କରିଥିବା ବେଳେ ୨୦୨୦ ମସିହା ତୁଳାନାରେ ୦.୯ ପ୍ରତିଶତ ବୃଦ୍ଧି ପାଇଛି ।