ଥିମ୍ଫୁ: ଆଜି(ଶନିବାର) ସାରା ଭାରତରେ କୋରୋନା ମହାମାରୀ ବିରୋଧରେ ଟୀକାକରଣର ମହାଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଥିବା ବେଳେ ଭୁଟାନ ଦେଶର ପ୍ରଧାନମନ୍ତ୍ରୀ ଡକ୍ଟର ଲୋତେ ସିରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶବାସୀଙ୍କୁ ଶନିବାର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ସମ୍ପର୍କରେ ସେ ତାଙ୍କ ଫେସବୁକ ପୃଷ୍ଠାରେ ଏକ ପୋଷ୍ଟ କରି ଲେଖିଛନ୍ତି,"ମୁଁ ଭାରତର ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କୁ ଆଜି ଆରମ୍ଭ ହେଉଥିବା କୋରୋନା ଟୀକାକରଣ ପାଇଁ ଶୁଭେଚ୍ଛା ଜଣାଉଛି । ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।" ଏହାସହିତ ସୁରକ୍ଷିତ ଟୀକା ଏବଂ ବଣ୍ଟନ ପାଇଁ ସେ ଭାରତର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ପ୍ରାୟ ସାଢେ 10ଟା ସମୟରେ କୋରୋନା ଟୀକାକରଣର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ 3 ଲକ୍ଷ 92 ହଜାର ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଏହା ପରେ ଦେଶବାସୀଙ୍କୁ ଟିକା ଦିଆଯିବ ।