ଓଡିଶା

odisha

ଭାରତ-ଚୀନ କମାଣ୍ଡ ସ୍ତରୀୟ ବୈଠକ, ଶାନ୍ତି ବଜାୟ ରଖିବାକୁ ଦୁଇ ପକ୍ଷ ସହମତ

By

Published : Aug 16, 2023, 8:01 AM IST

ଭାରତ-ଚୀନ କମାଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ । ଶାନ୍ତି ବଜାୟ ରଖିବାକୁ ଦୁଇ ପକ୍ଷ ସହମତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଭାରତ-ଚୀନ କମାଣ୍ଡ ସ୍ତରୀୟ ବୈଠକ
ଭାରତ-ଚୀନ କମାଣ୍ଡ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ତିକ୍ତତା ଭିତରେ ଭାରତ ଓ ଚୀନ ମଧ୍ୟରେ ୧୯ତମ କମାଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସୀମାରେ ଥିବା ଚୁସୁଲ ମୋଲ୍ଡୋ ଠାରେ ବୈଠକ ବସିଥିଲା । ଏହି ସାମରିକ ଆଲୋଚନା ସଂକ୍ରାନ୍ତରେ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଭାରତ ଓ ଚୀନ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (LAC) ନିକଟରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ ରାଜି ହୋଇଛନ୍ତି ।

ଡେପସାଙ୍ଗ ଓ ଡେମଚୋକ ଆଦି ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହର ପାଇଁ ଭାରତ ଚୀନ ଉପରେ ଚାପ ପକାଇ ଆସୁଛି । ତେବେ କମାଣ୍ଡ ସ୍ତରୀୟ ବୈଠକରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ସାମରିକ ଉତ୍ତେଜନା ହ୍ରାସ କରିବା ଉପରେ ଆଲୋଚନା ହୋଇଥିବା ବିବୃତ୍ତିରେ କୁହାଯାଇଛି । ସୈନ୍ୟ ଗତିବିଧି ଶେଷ କରିବା ଲାଗି ଦୁଇ ପକ୍ଷର ସେନା ଅଧିକାରୀ ଏକ ସକରାତ୍ମକ, ଗଠନମୂଳକ ଓ ଗଭୀର ଆଲୋଚନା କରିଛନ୍ତି । ପୂର୍ବ ଲଦାଖର ଏଲଏସି ନିକଟରୁ ସୈନ୍ୟ ପ୍ରତ୍ୟାହର ପ୍ରସଙ୍ଗରେ ଆଲୋଚନା କରାଯାଇଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଓ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: India China Talks: ଆସନ୍ତାକାଲି ଭାରତ-ଚୀନ ୧୯ତମ କମାଣ୍ଡସ୍ତରୀୟ ଆଲୋଚନା

ଅଗଷ୍ଟ ୧୩ ଓ ୧୪ ତାରିଖରେ ଭାରତ ଓ ଚୀନର ୧୯ତମ କମାଣ୍ଡ ସ୍ତରୀୟ ଆଲୋଚନା ଭାରତ ସୀମାରେ ଥିବା ଚୁସୁଲ ମୋଲ୍ଡ ସୀମାରେ ଅନୁଷ୍ଠିତ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଲମ୍ବା ସମୟ ଧରି ଚାଲିଥିବା ସୀମା ବିବାଦ ପ୍ରସଙ୍ଗରେ ପ୍ରଥମ ଥର ଦୁଇ ଦିନ ବ୍ୟାପୀ ସାମରିକ ଆଲୋଚନା କରାଯାଇଥିଲା । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସୀମା ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଏବଂ କଥାବାର୍ତ୍ତାର ଗତି ବଜାୟ ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୩ ବର୍ଷରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ତେବେ ଦୁଇ ପକ୍ଷ ଅନେକ ଥର କୂଟନୈତିକ ଓ ସାମରିକ ଆଲୋଚନା ମାଧ୍ୟମରେ ବିଭିନ୍ନ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହର କରିସାରିଛନ୍ତି । ୨୦୨୦ରେ ବିବାଦ ସୃଷ୍ଟି ହେବା ପରେ ଦୁଇ ଦେଶର ସେନା ପାନଙ୍ଗୋଗ ସୋ, ଗୋଗରା ଓ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରୁ ପଛକୁ ହଟିଛନ୍ତି । କିନ୍ତୁ ଡେପସାଙ୍ଗ ଓ ଡେମଚୋକରେ ଏବେ ବି ଉତ୍ତେଜନା ଲାଗି ରହିଛି । ଆସନ୍ତା ସପ୍ତାହରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବାକୁ ଥିବାରୁ ଭାରତ ଓ ଚୀନ ସେନା ମଧ୍ୟରେ ଏହି ବୈଠକର ବିଶେଷ ଗୁରୁତ୍ବ ରହିଛି । ଶିଖର ସମ୍ମିଳୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭେଟଘାଟ ହୋଇପାରେ ।

ABOUT THE AUTHOR

...view details