ନୂଆଦିଲ୍ଲୀ: ପୂର୍ବ ଲଦାଖ ସଂଲଗ୍ନ ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ରବିବାର ଭାରତ ଓ ଚୀନ ମଧ୍ୟରେ ଚାଲିଥିବା 13 ତମ ମିଲିଟାରୀ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଦୀର୍ଘ 8 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଆଲୋଚନା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ରବିବାର ଦିନ 10ଟା 30ରେ ଚୀନର ମାଲଡୋରେ ଏହି ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ପୂର୍ବ ଲଦାଖର ହଟସ୍ପ୍ରିଙ୍ଗରୁ 2 ଦେଶର ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି । ହେଲେ ସୂଚନା ଅନୁଯାୟୀ, ଫଳାଫଳ ଏଯାଏଁ ଜଣାପଡିନାହିଁ । କାରଣ ଦୁଇ ଦେଶର କମାଣ୍ଡର ବୈଠକକୁ ନେଇ ଏବେ ନିଜନିଜ ଦେଶର ମିଲିଟାରୀ ଓ ରାଜନୈତିକ ନେତୃତ୍ବଙ୍କ ସହିତ ଆଲୋଚନା କରିବେ । ଏହାପରେ ହିଁ ବୈଠକର ଫଳାଫଳ ସାମ୍ନାକୁ ଆସିପାରିବ ।