ନୂଆଦିଲ୍ଲୀ:ଭାରତ-ଚୀନ ମଧ୍ୟରେ ଜାରି ରହିଥିବା ଦୀର୍ଘ ଦିନର ସୀମା ବିବାଦ ନେଇ କମାଣ୍ଡର ସ୍ତରୀୟ ବୈଠକ ପରେ ଆଜି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଉଭୟ ଦେଶ (India China begin disengagement) । ଜୁଲାଇରେ ବସିଥିବା କମାଣ୍ଡର ସ୍ତରୀୟ ଆଲୋଚନାରେ ଏନେଇ ନିଷ୍ପତ୍ତି ଗ୍ରହଣ ହୋଇଥିବା ବେଳେ ଆଜି ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଛି । ଦୁଇ ଦେଶର ସେନାର ମଧ୍ୟରେ ଜାରି ରହିଥିବା କମାଣ୍ଡର ସ୍ତରୀୟ ଆଲୋଚନାର 16ତମ ରାଉଣ୍ଡରେ ଏହି ନିଷ୍ପତ୍ତିରେ ଉଭୟ ପକ୍ଷ ସହମତ ହୋଇଥିଲେ ।
ଆଜି ପ୍ରକୃତ ନିୟନ୍ତ୍ରଣା ରେଖା (LAC) ନିକଟବର୍ତ୍ତୀ ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିର କମାଣ୍ଡର ସ୍ତରୀୟ ଆଲୋଚନାରେ ସଫଳତା ଓ ସୈନ୍ୟ ପ୍ରତ୍ୟାହାର ନେଇ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଉଭୟ ସେନା ମିଳିତ ପ୍ରେସ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ।
ମିଳିତ ବିବୃତ୍ତିରେ କୁହାଯାଇଛି ଆଜି ଦୁଇ ଦେଶର ସେନା ମଧ୍ୟରେ ପୂର୍ବରୁ ଜାରି ରହିଥିବା କଥାବର୍ତ୍ତା ଶୃଙ୍ଖଳାରେ ଜୁଲାଇରେ ହୋଇଥିବା 16 ତମ ପର୍ଯ୍ୟାୟ ଆଲୋଚନାରେ ଏହି ସଫଳତା ମିଳିଛି । ଉକ୍ତ ବୈଠକରେ ଦୁଇ ପକ୍ଷର ଏକାଧିକ ବରିଷ୍ଠ ସେନାଧିକାରୀ ଆଲୋଚନା ଟେବୁଲକୁ ଆସିଥିଲେ । ପୂର୍ବରୁ ଏକାଧିକ ପ୍ରୟାସ ସତ୍ତ୍ବେ ମଧ୍ୟ କୌଣସି ସଫଳତା ମିଳିନଥିଲା । ତେବେ 16ତମ ରାଉଣ୍ଡରେ ଉଭୟ ପକ୍ଷ ଉତ୍ତେଜନା ହ୍ରାସ ଲାଗି ସୈନ୍ୟ ପ୍ରତ୍ୟାହାର ନେଇ ସହମତି ପ୍ରକାଶ କରିଥିଲେ (disengagement started in LAC in Ladakh )।
ଆଜି ଉକ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗଲଓ୍ବାନ ଭ୍ୟାଲିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ଏକାଧିକ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ମୃତ୍ୟ ସଂଖ୍ୟା ଲୁଚାଇଥିଲା ଚୀନ । ପରେ ଲଦାଖ ନିକଟବର୍ତ୍ତୀ ସୀମାର ଫରଓ୍ବାର୍ଡ ପୋଷ୍ଟରେ ଉତ୍ତେଜନା ହ୍ରାସ କରିବା ନେଇ ସୈନ୍ୟ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏକାଧିକ ପର୍ଯ୍ୟାୟର କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ତେବେ ଏନେଇ ଆଜି ପ୍ରକ୍ରିୟା ଆରମ୍ଭ ହୋଇଛି । ସୈନ୍ୟ ପ୍ରତ୍ୟାହାର ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ମଧ୍ୟ ହ୍ରାସ ପାଇବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ଆଲୋଚନା ଜାରି ରହିଥିଲେ ସୁଦ୍ଧା ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ କରିବାରେ ଲାଗିଛି ଡ୍ରାଗନ ସେନା । ଯାହାକୁ ନେଇ ଭାରତ ମଧ୍ୟ ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ