ଓଡିଶା

odisha

ETV Bharat / bharat

ଆଜି ଆଲୋକର ପର୍ବ ଦୀପାବଳି, ଦୀପରେ ଝଲସିବ ପୁରପଲ୍ଲୀ - odisha celebrate depavali

ଆଜି ଆଲୋକର ପର୍ବ ଦୀପାବଳି । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏହା ଏକ ପ୍ରମୁଖ ପର୍ବ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ । ଅଧିକ ପଢନ୍ତୁ

india celebrates diwali
ଆଜି ଆଲୋକର ପର୍ବ ଦୀପାବଳି

By

Published : Oct 24, 2022, 7:48 AM IST

ଭୁବନେଶ୍ବର:ଅସତୋ ମା' ସଦଗମୟ ତମସୋ ମା' ଜ୍ୟୋତିର୍ଗମୟ... ଆଜି ଆଲୋକର ପର୍ବ ଦୀପାବଳି । ଆନନ୍ଦ ଉଲ୍ଲାସ, ଶ୍ରଦ୍ଧା ଓ ଭକ୍ତିର ପର୍ବ ଦୀପାବଳୀ । ଏହି ଦିନ ମା' କାଳୀଙ୍କୁ ଆରଧନା କରାଯାଏ । ପୀଠମାନଙ୍କରେ ମା'କାଳୀଙ୍କୁ ପୂଜାପାଠ କରାଯାଏ । ଦୀପ ଜାଳି, ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠେ ଘର । ଭଳିକି ଭଳି ବାଣ ଫୁଟାଇ ସଭିଏଁ ଏହି ପର୍ବକୁ ପାଳନ କରନ୍ତି । ହିନ୍ଦୁ ପରମ୍ପରା ଅନୁସାରେ ଅନ୍ଧାର ଉପରେ ଆଲୋକର ବିଜୟ ହିଁ ଏହି ଉତ୍ସବର ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ଏହି ଦିନ ସମସ୍ତେ ଘରେ ଦୀପ ଜାଳିଥାନ୍ତି । ଘରେ ରଙ୍ଗୀନ ଲିଚୁ ଲଗାଇ ଘରକୁ ଆଲୋକିତ କରିଥାନ୍ତି । ବିଭିନ୍ନ ପ୍ରକାର ବାଣ ମଧ୍ୟ ଫୁଟାଯାଏ । ଓଡିଶାରେ ଆଜିର ଦିନରେ ବଡବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଇ କାଉଁରିଆ କାଠି ଜଳାଯାଏ । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ସାମ୍ନାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରିଥାନ୍ତି । ଏକ ପ୍ରକାର ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥାଏ ।

'ବଡବଡୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯା'ପୁରୁଷୋତ୍ତମରେ ମହାପ୍ରସାଦ ଖାଇ...ବାଇଶି ପାହାଚେ ଗଡଗଡାଉ ଥାଅ'...ବୋଲି ଉଚ୍ଚାରଣ କରି ବଡବଡୁଆଙ୍କୁ ଡାକନ୍ତି ପ୍ରତିଟି ଓଡିଆ । ପ୍ରତିଟି ଘରେ ଏହି ପଂକ୍ତି ଗୁଞ୍ଜରିତ ହୋଇ ଉଠେ । ଓଡିଶା ସମେତ ଦେଶର ପ୍ରତ୍ୟେକ ହିନ୍ଦୁ ପରିବାର ଘରେ ପିଠାପଣା କରି ଆନନ୍ଦ ଉଲ୍ଲାସର ସହ ଦୀପାବଳି ମନାଇଥାନ୍ତି ।

ପୁରାଣ କଥା ଅନୁସାରେ, ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ସୀତାକୁ ଉଦ୍ଧାର କରି ଆଜି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟା ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବାକୁ ଯାଇ ଘରେ ବିଭିନ୍ନ ପ୍ରକାର ଦୀପ ଜାଳିଥିଲେ । ସେହି ଦିନରୁ ହିଁ ଭାରତ ବର୍ଷରେ ଏହି ଉତ୍ସବ ପାଳନ କରାଯାଉଛି । ଦୀପାବଳିକୁ କୃଷିଭିତ୍ତିକ ବିଧି ଭାବେ ମଧ୍ୟ ବିବେଚନା କରାଯାଏ । ଅମଳ ଋତୁ ସମୟରେ ଶସ୍ୟକ୍ଷେତ୍ର ଏବଂ ଜନବସତିରେ କୀଟପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ତେଣୁ ଦୀପାବଳିରେ ଦୀପ ଏବଂ ଆଲୋକ ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିବାର ମଧ୍ୟ କୁହାଯାଏ । ସେହିପରି ଦୀପାବଳି ଦିନ ଧରାବତରଣ କରିଥାନ୍ତି ମା' କାଳୀ । ପଶ୍ଚିମବଙ୍ଗ, ଓଡିଶା ଓ ବିହାରରେ ଦୀପାବଳି ଦିନ ବିଭିନ୍ନ ପୂଜା ମଣ୍ଡପରେ ମହାକାଳୀ ପୂଜା ପାଇଥାନ୍ତି ।

ଏହି ବି ପଢନ୍ତୁ...ବାଲୁକା କଳାରେ ଦୀପାବଳିର ଶୁଭେଚ୍ଛା, ୪ହଜାରେ ଦୀପରେ ଶୋଭା ପାଉଛନ୍ତି ମା କାଳୀ

ଅନ୍ଧାର ଉପରେ ଆଲୋକର ଜୟ... ଅମାବାସ୍ୟାର ଅଜ୍ଞାନ ଅନ୍ଧାର ଦୂର ହୋଇ ଆଲୋକିତ ହେଉ ଜ୍ଞାନର ପଥ । ଦିବ୍ୟଜ୍ୟୋତିରେ ପ୍ରସସ୍ଥ ହେଉ ମୁକ୍ତିର ମାର୍ଗ । ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଦେବା ଜାଳି । ଶୁଭ ଦୀପାବଳି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details