ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିଥିବା ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ( Bangladesh pm Sheikh Hasina in india) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହି ଆଲୋଚନାରେ (India Bangladesh trade talks) ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଆହୁରି ସୁଦୃଢତା ଆଣିବା ପାଇଁ ପ୍ରାୟାସ କରାଯାଇଛି । ଆଜି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ମୋଟ 7ଟି ଚୁକ୍ତିନାମା (MoUs) ସ୍ବାକ୍ଷରିତ ହୋଇଛି ।
ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଆୟୋଜିତ ଏହି ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିପକ୍ଷ ଶେଖ ହସିନାଙ୍କ ସମେତ ଦୁଇ ଦେଶର ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ 7ଟି ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି ଦୁଇ ପଡୋଶୀ ଦେଶ । ଏହି ବୁଝାମଣା ସ୍ବାକ୍ଷରିତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା ସୂଚନା ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୋଗାଣ ଶୃଙ୍ଖଳାକୁ ଆହୁରି ସୁଦୃଢ କରିବା ପାଇଁ ପ୍ରୟାସ କରାଯାଇଛି । ପୂର୍ବରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି । କୋଭିଡ ସମୟରେ ଉଭୟ ପଡୋଶୀ ସହଯୋଗ ଓ ସମନ୍ବୟରେ ଫଳପ୍ରଦ ମହାମାରୀ ମୁକାବିଲା ମଧ୍ୟ କରିଛନ୍ତି ।