ନୂଆଦିଲ୍ଲୀ:ଆଜିଠୁ ଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେବ ଜି 20 ମହାକୁମ୍ଭ । ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ବିଶ୍ବନେତା ମାନେ ଭାରତରେ ପହଞ୍ଚିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାସଭାବନରେ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ଆଲୋଚନା ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା
ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ଆଲୋଚନା ସଫଳ ହୋଇଛି । ଗତ 9 ବର୍ଷ ମଧ୍ୟରେ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ଦୃଢ ହୋଇଛି, ଯାହା ଅତ୍ୟନ୍ତ ଖୁସିର ବିଷୟ । ଯୋଗାଯୋଗ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଛି ।
ସେହିପରି ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ମେକାନିଜିମରେ ସହଯୋଗ ସମେତ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଡିଜିଟାଲ୍ ପେମେଣ୍ଟ ମେକାନିଜିମ ସହଯୋଗ ଉପରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ବାଂଲାଦେଶ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ ବାଂଲାଦେଶ କୃଷି ଅନୁସନ୍ଧାନ ପରିଷଦ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ-G-20 ସମ୍ମିଳନୀକୁ ବିରୋଧ, ଅମୃତସରରେ ମୋଦିଙ୍କ ପୋଷ୍ଟର ଜାଳିଲେ ଚାଷୀ
ରାଜନୈତିକ ଏବଂ ସୁରକ୍ଷା ସହଯୋଗ, ସୀମା ପରିଚାଳନା, ଜଳ ସମ୍ପଦ, ପାୱାର ଏବଂ ଏନର୍ଜି, ବିକାଶ ସହଯୋଗ, ସାଂସ୍କୃତିକ ଏବଂ ଲୋକଙ୍କ ସହ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗର ସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ସନ୍ତୋଷ ବ୍ୟକ୍ତ କରି ଦୁଇ ନେତାଙ୍କ ମଧ୍ୟରେ ପ୍ରକଳ୍ପ ଗୁଡ଼ିକର ମିଳିତ ଉଦଘାଟନ ପାଇଁ ସହମତି ପ୍ରକାଶ କରିଥିଲେ । ଅଗରତାଲା-ଅଖରୁଆ ରେଳ ଲିଙ୍କ, ମୈତ୍ରୀ ପାୱାର ପ୍ଲାଣ୍ଟର ୟୁନିଟ୍-2, ଖୁଲନା-ମୋଙ୍ଗଲା ରେଳ ଲିଙ୍କ ଆଗକୁ ଉଦଘାଟନ କରାଯିବ । ଶେଖ ହାସିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ଦୁଇ ନେତା ଆଗକୁ ମଧ୍ୟ ସବୁ ସ୍ତରରେ ପାରସ୍ପରିକ ଆଲୋଚନା ଜାରି ରଖିବାକୁ ଆଶା ପ୍ରକାଶ କରିଛନ୍ତି ।