ଭୋପାଲ:ସନାତନ ଧର୍ମକୁ ନେଇ ବିବାଦୀୟ ବୟାନକୁ ନେଇ ଆଜି ପ୍ରଧାନମନ୍ତ୍ରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନିର୍ବାଚନୀ ସଭାମଞ୍ଚରେ ଟାର୍ଗେଟ କରିଛନ୍ତି । ‘ଇଣ୍ଡିଆ’ ମେଣ୍ଟ ସମ୍ପୂର୍ଣ୍ଣ ସନାତନ ଧର୍ମର ଧ୍ବଂସ ଚାହୁଁଛି । ହଜାର ବର୍ଷର ପରମ୍ପରାକୁ ଦୁର୍ବଳ କରି ସମାଜକୁ ଗୋଲାମି ମଧ୍ୟକୁ ଠେଲି ଦେବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମଧ୍ୟ ପ୍ରଦେଶ ବିଣାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ସନାତନ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ ଉଠାଇଛନ୍ତି । ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ସାଧାରଣରେ ଏହି ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି ।
ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶର ବିଣାରେ ଦଳ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,"ଏବେ ସେମାନେ (ବିରୋଧୀ) ମୁମ୍ବାଇରେ ଏକାଠି ହୋଇଥିଲେ । ସେଠାରେ ସେମାନେ ଘମଣ୍ଡିଆ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଏଜେଣ୍ଡା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ସେମାନେ କେବଳ ଭାରତର ସଂସ୍କୃତି ଓ ଐତିହ୍ୟକୁ ଦୁର୍ବଳ କରିବାକୁ ଏଜେଣ୍ଡା ସ୍ଥିର କରିଛନ୍ତି । ସେମାନଙ୍କର ଯୋଜନା ଭାରତୀୟଙ୍କ ବିଶ୍ୱାସ ଉପରେ ଆକ୍ରମଣ କରିବା । ଭାରତକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ହଜାର ବର୍ଷ ପୁରୁଣା ସାମାଜିକ ଧାରଣା, ମୂଲ୍ୟବୋଧ ଏବଂ ପରମ୍ପରାକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ । ଦେଶକୁ ହଜାର ବର୍ଷ ପଛକୁ ନେଇ ଗୋଲାମି ମଧ୍ୟକୁ ଠେଲିଦେବା ।"