ନୂଆଦିଲ୍ଲୀ:ମଣିପୁର ହିଂସାକୁ ନେଇ ଉଠୁଛି ପଡୁଛି ସଂସଦର ଉଭୟ ସଦନ । ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଉଭୟ ଗୃହରେ ହଙ୍ଗାମା ସହ ହୋହଲ୍ଲା ଲାଗି ରହିଛି । ଏହାରି ମଧ୍ୟରେ ଆଜି ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବେ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସଦସ୍ୟ ଦଳଙ୍କ ସାଂସଦଙ୍କ ଏକ ପ୍ରତିନିଧି ଟିମ୍ । ଦୁଇ ଦିନ ଧରି ମଣିପୁର ଗସ୍ତରେ ରହି ଏକାଧିକ ସ୍ଥାନ ପରିଦର୍ଶନ କରିବେ ବିରୋଧୀ ପ୍ରତିନିଧି ମଣ୍ଡଳୀ । ଏଥି ସହ ହିଂସା ପୀଡିତ ମାନଙ୍କୁ ସାକ୍ଷାତ ମଧ୍ୟ କରିବେ ।
ପ୍ରତିନିଧି ଦଳରେ 16ଟି ବିରୋଧି ଦଳର 20 ଜଣ ସାଂସଦ ରହିଛନ୍ତି । ପ୍ରଥମେ ଏକାଧିକ ହିଂସା ପ୍ରଭାବିତ ଅଞ୍ଚଳର ରିଲିଫ୍ କ୍ୟାମ୍ପ ପରିଦର୍ଶନ କରି ପୀଡିତଙ୍କ ସହ ଆଲୋଚନା କରିବେ । ପରେ ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।
କଂଗ୍ରେସ ସାଂସଦ ନାସିର ହୁସେନ ଗଣମାଧ୍ୟମକୁ କହିଛନ୍ତି, ‘ମଣିପୁରକୁ ସାଂସଦଙ୍କ ଏକ ପ୍ରତିନିଧି ଦଳ ପଠାଇବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ସମସ୍ୟାକୁ ନେଇ ଆମେ ଚିନ୍ତିତ ରହିଛୁ । ସେଥି ପାଇଁ ବିରୋଧି ଦଳର ଏକ ସାଂସଦ ପ୍ରତିନିଧି ଦଳ ସେମାନଙ୍କୁ ଭେଟିବାକୁ ଯାଉଛନ୍ତି । ଆସନ୍ତାକାଲି (ରବିବାର) ସକାଳ ସମୟରେ ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରିବ ଏହି ପ୍ରତିନିଧି ଦଳ।’
ଏହା ମଧ୍ୟ ପଢନ୍ତୁ-Manipur Violence: ମୋଦିଙ୍କ ନୀରବତାକୁ ଟାର୍ଗେଟ, ଆପ୍ ଜାରି କଲା ନିଖୋଜ ପୋଷ୍ଟର
20 ଜଣିଆ ପ୍ରତିନିଧି ଦଳରେ ଲୋକସଭା ଓ ରାଜ୍ୟସଭାର ସାଂସଦ ରହିଛନ୍ତି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ରାଜୀବ ରଞ୍ଜନ ଲାଲନ ସିଂ, ସୁସ୍ମିତା ଦେବ, କନିମୋଜି କରୁଣାନିଧି, ସାନ୍ଦୋଶ କୁମାର, ଏଆର ରହୀମ, ପ୍ରଫେସର ମନୋଜ କୁମାର ଝା, ଜାଭେଦ ଅଲି ଖାନ, ମହୁଆ ମାଝି ପ୍ରତିନିଧି ଦଳରେ ରହିଛନ୍ତି । ସେହିପରି ପିପି ମହମ୍ମଦ ଫୈଜଲ, ଅନୀଲ ପ୍ରସାଦ ହେଙ୍ଗଡେ, ଇଟି ମହମ୍ମଦ ବଶିର, ଏନ.କେ ପ୍ରେମଚନ୍ଦ୍ରନ, ସୁଶୀଲ ଗୁପ୍ତା, ଅରବିନ୍ଦ ସାୱନ୍ତ, ଡି ରବିକୁମାର, ଥିରୁ ଥୋଲ ଥିରୁମାଭାଲଭାନ, ଜୟନ୍ତ ସିଂ ଏବଂ ଫୁଲୋ ଦେବୀ ନେତମ ମଧ୍ୟ ସାମିଲ ଅଛନ୍ତି ।
ଜୁଲାଇ 20ରୁ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଣିପୁରର ଦୁଇ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ପୁରା ଦେଶରେ ମଣିପୁର ପ୍ରସଙ୍ଗରେ ଉଦବେଗ ପ୍ରକାଶ ପାଇଥିଲା । ମୌସୁମୀ ଅଧିବେଶନ ଆରମ୍ଭ ହେବାପରେ ଏହି ପ୍ରସଙ୍ଗରେ ବିରୋଧୀ ଉଭୟ ଗୃହରେ ହୋହଲ୍ଲା ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ବିରୋଧୀ ଦଳମାନେ ସ୍ପଷ୍ଟ କରିସାରିଛନ୍ତି । ଶୁକ୍ରବାର ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପରେ ଚାଲିପାରିନଥିଲା ଗୃହ କାର୍ଯ୍ୟ । ବିରୋଧୀ ମହାମେଣ୍ଟ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ ପରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଉଭୟ ସଦନ (ଲୋକସଭା, ରାଜ୍ୟସଭା)କୁ ମୁଲତବୀ ରଖାଯାଇଛି ।