ନୂଆଦିଲ୍ଲୀ:ଘମାଘୋଟ ଯୁଦ୍ଧ ମଧ୍ୟରେ ଋଷିଆ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ନିଜ ସୀମାରେ ସାମିଲ କରିଛି । ୟୁକ୍ରେନର ଡୋନେସ୍କ(Donetsk), ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ(Zaporizhzhia) ଋଷିଆ ସହ ମିଶିଛି । ୟୁକ୍ରେନ ଅଞ୍ଚଳରେ ଋଷିଆର ଏପରି କବ୍ଜାକୁ ଆମେରିକା, ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ନିନ୍ଦା କରିଛନ୍ତି ଏବଂ ତୁରନ୍ତ ଯୁଦ୍ଧଗ୍ରସ୍ତ ଦେଶରୁ ମସ୍କୋର ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆମେରିକା ଓ ଆଲବେନିଆ(Albania) ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UN Security Council)ରେ ଋଷିଆ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ସପକ୍ଷରେ ୧୦ଟି ଦେଶ ଭୋଟ ଦେଇଥିବା ବେଳେ ପୁଣିଥରେ ଋଷ ପ୍ରତି ନିଜର ବନ୍ଧୁତା ଦେଖାଇ ଭୋଟିଂରୁ ବିରତ ରହିଛି ଭାରତ ।
କେବଳ ଭାରତ ନୁହେଁ, ଚୀନ, ବ୍ରାଜିଲ ଏବଂ ଗାବନ ଏହି ନିନ୍ଦା ପ୍ରସ୍ତାବରେ ଭୋଟ ଦେଇନାହାନ୍ତି । ଅନ୍ୟପଟେ ଋଷ ଜାତିସଂଘର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ କରଛି । ଫଳରେ ଏହି ପ୍ରସ୍ତାବ ସୁରକ୍ଷା ପରିଷଦରେ ଗୃହୀତ ହୋଇପାରିନାହିଁ ।
ଆମେରିକା ଓ ଆଲବେନିଆର ନିନ୍ଦା ପ୍ରସ୍ତାବରେ ଋଷ ୟୁକ୍ରେନରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁ ବୋଲି କୁହାଯାଇଥିଲା । ୧୫ ରାଷ୍ଟ୍ର ମଧ୍ୟରୁ ୧୦ଟି ରାଷ୍ଟ୍ର ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ । ଭାରତ ସମେତ ଚାରୋଟି ରାଷ୍ଟ୍ର ଏଥିରୁ ବିରତ ରହିଥିଲେ । ପୂର୍ବରୁ ମଧ୍ୟ ଭାରତ ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଭୋଟିଂରୁ ନିଜକୁ ଦୂରେଇ ରହିଥିଲା ।