ମୁମ୍ବାଇ: ବାଣିଜ୍ୟନଗରୀ ମୁମ୍ବାଇରୁ ଚିହ୍ନଟ ହୋଇଥିବା ଦେଶର ଚତୁର୍ଥ ଓମିକ୍ରନ ସଂକ୍ରମିତ(Mumbai Omicron Patient) କୌଣସି ଟିକା ନେଇନଥିବା ଜଣାପଡିଛି । ମୁମ୍ବାଇ ନିକଟସ୍ଥ କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲିଟିରୁ ଏହି ୩୩ ବର୍ଷୀୟ ଯୁବକଙ୍କ ନିକଟରେ ଓମିକ୍ରନ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା । ସେ ଦକ୍ଷିଣ ଆଫ୍ରିକାରୁ ଭାୟା ଦୁବାଇ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ମାତ୍ର ସେ କୌଣସି ଟିକା ନେଇନଥିବା ସ୍ପଷ୍ଟ ହୋଇଛି ।
ସେ ଜଣେ ମେରାଇନ ଇଞ୍ଜିନିୟର ହୋଇଥିବାରୁ ଦୀର୍ଘ ସମୟ ଧରି ସମୁଦ୍ର ମଧ୍ୟରେ ଥିଲେ । ତେଣୁ ତାଙ୍କର ଟୀକାକରଣ ହୋଇନଥିବା PTI ପକ୍ଷରୁ କୁହାଯାଇଛି । ସେ ୨୪ ନଭେମ୍ବରରେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛି ।
ଅନ୍ୟପଟେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ( Maharashtra health Minister Rajesh Tope) କହିଛନ୍ତି ଯେ, କୋଭିଡ-୧୯ ନ୍ୟୁ ଭାରିଆଣ୍ଟ ଓମିକ୍ରନ(Omicron) ନିକଟରେ ଅଧିକ ସଂକ୍ରମଣ କ୍ଷମତା ରହିଛି । ମାତ୍ର ଏହାର ଲକ୍ଷଣ ସାମାନ୍ୟ । ଶନିବାର ଟୋପେ କହିଛନ୍ତି ଯେ, କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମଣ କ୍ଷମତା ଅଧିକ ଥିଲେ ମଧ୍ୟ ଏହାର ଲକ୍ଷଣ କମ, ତେଣୁ ଭୟଭୀତ ହେବାର ଆବଶ୍ୟକ ନାହିଁ।