ରାମପୁର: ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ନାକଚ ହେବା ପରେ, 2008 ମସିହାରେ ନିଜ ପରିବାରର ସାତ ଜଣଙ୍କୁ ହତ୍ୟା ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ଉତ୍ତରପ୍ରଦେଶର ଶବନମ, ସ୍ବାଧୀନ ଭାରତରେ ଫାଶୀଦଣ୍ଡ ପାଇବାରେ ପ୍ରଥମ ମହିଳା ହେବାକୁ ଯାଉଛନ୍ତି । ଚାଞ୍ଚଲ୍ୟକର ଆମରୋହା ହତ୍ୟାକାଣ୍ଡରେ ଦୋଷୀସାବ୍ୟସ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶବନମ । ଏବେ ସେ ରାମପୁର ଜିଲ୍ଲା ଜେଲରେ ରହିଛନ୍ତି ଏବଂ ତାଙ୍କୁ ମଥୁରା ଜେଲ୍ରେ ଫାଶୀ ଦେବାକୁ ପ୍ରସ୍ତୁତି ଚାଲିଛି ।
ମାମଲାର ଇତିବୃତ୍ତ
ସଲିମ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଆନ୍ତି ଶବନମ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠେ ଏବଂ ସେମାନେ ବିବାହ କରିବାକୁ ଚାହାଁନ୍ତି । କିନ୍ତୁ ଶବନମଙ୍କ ପରିବାର ଏହି ସଂପର୍କକୁ ବିରୋଧ କରନ୍ତି ଏବଂ ସଂଘଠିତ ହତ୍ୟାକାଣ୍ଡରେ ହିଁ ସେମାନଙ୍କ ଆପତ୍ତିର ଅନ୍ତ ଘଟେ ।
ପ୍ରକାଶିତ ଖବର ଅନୁସାରେ, ଶବନମ ଓ ସଲିମ ମିଶି ତାଙ୍କ ପରିବାରକୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରନ୍ତି । 2008 ମସିହା ଏପ୍ରିଲ 14ରେ, ସେମାନେ ଶବନମଙ୍କ ବାପା, ମାଆ ଓ ଜଣେ 10 ମାସର ପୁତୁରା ସମେତ ପରିବାରର ସାତ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରନ୍ତି ।
ବିଭିନ୍ନ ଖବର ଅନୁସାରେ, ଏହି ପ୍ରେମୀ ଯୁଗଳ ହତ୍ୟା କରିବା ପୂର୍ବରୁ ପ୍ରଥମେ ପରିବାରର ସବୁ ଲୋକଙ୍କୁ ନିଶା ମିଶ୍ରିତ ଖାଦ୍ୟ ଖାଇବାକୁ ଦେଇଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଉଭୟ ଶବନମ ଓ ସଲିମ ଜିଲ୍ଲା ପୋଲିସ ଦ୍ବାରା ଗିରଫ ହୋଇଥିଲେ ।
ଏହି ମାମଲାରେ, 27 ମାସ ଭିତରେ 100 ଦିନ ଧରି ସାକ୍ଷୀମାନଙ୍କୁ ଜେରା କରାଯାଇଥିଲା । ରାୟ ପ୍ରକାଶ ପାଇବା ଦିନ, ଅଦାଲତ 29 ଜଣ ସାକ୍ଷୀଙ୍କର ବୟାନ ଶୁଣିଥିଲେ ।
649ଟି ପ୍ରଶ୍ନ ଏବଂ 160 ପୃଷ୍ଠାର ରାୟ
ସାକ୍ଷୀମାନଙ୍କୁ ଏହି ମାମଲା ସଂପର୍କିତ 649ଟି ପ୍ରଶ୍ନ ପଚରା ଯିବା ପରେ, ଅଦାଲତ 160 ପୃଷ୍ଠାର ରାୟ ଦେଇଥିଲେ । ପରବର୍ତ୍ତୀ ସମୟରେ, ସଲିମ ଏହି ହତ୍ୟାକାଣ୍ଡରେ ତା’ର ଭୂମିକାକୁ ସ୍ବୀକାର କରିଥିଲା ଏବଂ ପୋଲିସକୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ପାଖକୁ ନେଇଯାଇଥିଲା ।
2010 ମସିହା ଜୁଲାଇ 14 ତାରିଖରେ ଜିଲ୍ଲା ଓ ଦୌରା ଜଜ୍ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । 2010ରେ ହିଁ ଦୌରା ଜଜ୍ଙ୍କ ଏହି ରାୟ ବିରୋଧରେ ଦୁଇ ଅଭିଯୁକ୍ତ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ ।
ପରେ, ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଁ 2015ରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଆଇନଗତ ସମସ୍ତ ବିକଳ୍ପ ନିଃଶେଷ ହୋଇଯିବା ପରେ, ଶବନମ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ । ହେଲେ ଏହି ଆବେଦନ ଖାରଜ ହୋଇଯାଇଥିଲା । ସେମାନେ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ମଧ୍ୟ ଦାୟର କରିଥିଲେ ।
ମଥୁରା ଜେଲ୍
ଦେଶରେ ମଥୁରା ଜେଲ୍ ହିଁ ଏକମାତ୍ର ଜେଲ୍, ଯେଉଁଠି ମହିଳାଙ୍କୁ ଫାଶୀ ଦେବା ପାଇଁ ସ୍ବତନ୍ତ୍ର କକ୍ଷ ରହିଛି ।