ନୂଆଦିଲ୍ଲୀ:ଜାତୀୟ ସ୍ତରୀୟ ସ୍ବାଧିନତା ଦିବସ ସମାରୋହ ଆସନ୍ତାକାଲି (୧୫ ଅଗଷ୍ଟ) ଜାତୀୟ ରାଜଧାନୀ ଦିଲ୍ଲୀରେ ପାଳନ ହେବ । ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ୭୫ ତମ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷାକୁ ନେଇ ଦିଲ୍ଲୀ ପୋଲିସ ଓ ସେନା ମିଳିତ ଭାବେ ବ୍ୟବସ୍ଥା କରିଛନ୍ତି ।
ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମଗ୍ର ଦିଲ୍ଲୀର ସୁରକ୍ଷା ନିଶ୍ଚିତ କରାଯାଇଛି । ସମଗ୍ର ଲାଲକିଲ୍ଲା ଅଞ୍ଚଳକୁ ସେନା ନିଜ କବଜାକୁ ନେଇଛି । ଲାଲକିଲ୍ଲା ପରିସରରେ ଓ ବାହାରେ NSG କମାଣ୍ଡୋ, ସ୍ନାଇପର, ବମ ନିରୋଧୀ ଯବାନ, ଉଡନ୍ତା ପକ୍ଷୀ ଧରାଳି ଟିମ, ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କମାଣ୍ଡୋ, ଉଚ୍ଚ ଅଟାଳିକକୁ ଗୁଳି ଲକ୍ଷ୍ୟଭେଦ କରିପାରୁଥିବା ଯବାନ, ବୋମା ନିଷ୍କ୍ରିୟକାରୀ ଟିମ ମୁତୟନ ହୋଇଛନ୍ତି । ଏହାବାଦ ଲାଲକିଲ୍ଲାକୁ ବାହ୍ୟ ସୁରକ୍ଷା ଯୋଗାଉଛନ୍ତି, ସିଆରପିଏଫ, ବିଏସଏଫ, ସିଆଇଏସଏଫ ଓ ଦିଲ୍ଲୀ ପୋଲିସ ।