ଗୌହାଟୀ:ବର୍ଷୁଛି ଯେ ବର୍ଷୁଛି । ଛାଡିବାର ନାଁ ନେଉନାହିଁ । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ମୌସୁମୀ ବର୍ଷା ପ୍ରଭାବରେ ବେହାଲ ହୋଇଛି ଆସାମ । ନଦୀରେ ବନ୍ୟା ପାଣି ଆସିବା ପରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଉତ୍ତରପୂର୍ବ ରାଜ୍ୟ ଆସାମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରୁ 100ରୁ ଅଧିକ ଗାଁ ସହ 33,500ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗତ କିଛି ଦିନ ହେବ ଆସାମରେ ବର୍ଷା ହେବାରେ ଲାଗିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା 10 ଜିଲ୍ଲାର 37,535 ଲୋକ ପ୍ରଭାବିତ ହୋଇଥିଲେ । 24 ଘଣ୍ଟା ମଧ୍ୟରେ 7-11ସେମିରୁ 11-20ସେମି ବର୍ଷା ଦେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଆସାମର ବିଶ୍ବନାଥ, ଦରଙ୍ଗ, ଘମୋଜି, ଦିବ୍ରୁଗଡ଼, ହୋଜଇ, ଲଖିମପୁର, ନାଗାଓଁ, ସୋନିତପୁର, ତିନସୁକିଆ ଓ ଉଦଲଗୁରି ଜିଲ୍ଲାଗୁଡ଼ିକ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛନ୍ତି । 19 ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।